FeaturedLatestNewsPolitics

ଡାଉନ୍ ବଟ୍ ନଟ୍ ଆଉଟ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଅଶୋକ ପଣ୍ଡା

ଭୁବନେଶ୍ୱର:(ସଂକେତ ଟିଭି) ଡାଉନ୍ ବଟ୍ ନଟ୍ ଆଉଟ୍ ଭଳି କଥାବାର୍ତ୍ତା ଉପରେ ପୂର୍ଣ୍ଣଛେଦ ପକାଇ ବିଜେଡି ନେତା ଓ ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ ସେ ଏହି ବିଷୟରେ କିଛି କହିବେ ନାହିଁ। ବରଂ ଯିଏ ଏହି ମନ୍ତବ୍ୟ ଦେଇଛନ୍ତି ଏବଂ ଯେଉଁ ଉଦ୍ଦେଶ୍ୟରେ ଦେଇଛନ୍ତି, ସେ ହିଁ ଏଥିରେ ପ୍ରତିକ୍ରିୟା ଦେଇପାରିବେ।

ଶୁକ୍ରବାରରେ ବିଜେଡି ନେତା ବଦ୍ରି ନାରାୟଣ ପାତ୍ରଙ୍କ ସମର୍ଥନରେ ଅଶୋକ ପଣ୍ଡା ସାମ୍ବାଦିକମାନଙ୍କୁ ଏହି ମନ୍ତବ୍ୟ ଦେଇଥିଲେ। ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଥିବା ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, “ନବୀନ ବାବୁ କେବେ ଶିଖେଇ ନାହାଁନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।”

ସେ ଆହୁରି କହିଛନ୍ତି, “ଆମେ ୪୧ ପ୍ରତିଶତ ଜନାଦେଶ ପାଇଛୁ। ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବୁ। ଆଉଟ୍ ହବାର ପ୍ରଶ୍ନ ଉଠୁନି।” ନବୀନ ବାବୁଙ୍କୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, “ନବୀନ ବାବୁ ସାଢ଼େ ଚାରିକୋଟି ଓଡ଼ିଆଙ୍କ ସମ୍ପତ୍ତି। କୌଣସି ବ୍ୟକ୍ତି ବିଶେଷର ନୁହଁ ନା ଏକଚାଟିଆ ସମ୍ପତ୍ତି ନୁହଁ। ଓଡ଼ିଶା ବାସୀଙ୍କ ସମ୍ପତ୍ତି ସିଏ। ଦଳର ଆଭିମୁଖ୍ୟ ସ୍ପଷ୍ଟ ରହିବ, ଓଡ଼ିଶା ସ୍ଵାର୍ଥ। ଏଥିରେ ସାଲିସ୍ କରାଯିବାର କୌଣସି ପ୍ରଶ୍ନ ଉଠୁନି।”

ତାଙ୍କ ମତାନୁଯାୟୀ, ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ଯାଇଥିବା ବେଳେ ଲକ୍ଷ୍ମଣ ସୀତାଙ୍କ ପାଇଁ ଲକ୍ଷ୍ମଣ ରେଖା କାଟି ଥିଲେ। ସେହିପରି ସବୁ କ୍ଷେତ୍ରରେ ଶୃଙ୍ଖଳା ଓ ଅନୁଶାସନର ଆବଶ୍ୟକତା ରହିଛି। ସମସ୍ତେ ଗୋଟିଏ କଥା ମନେରଖିବା ଦରକାର ଯେ ଦଳ ସମସ୍ତଙ୍କୁ ନେଇ ଚାଲିବ, କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।