Latest

ଦେଶ ବିଦେଶରେ ପାଳିତ ହେଲା ନୂଆଁଖାଇ ପର୍ବ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ଭୁବନେଶ୍ୱର:(ସଂକେତ ଟିଭି) ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧୁମଧାମର ସହ ପାଳନ କରାଯାଇଥିବାବେଳେ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡ଼କ୍ଟର ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଜୟ ଜଗନ୍ନାଥ ଜୟ ମାଁ ସମ୍‌ଲେଇ। “ସମ୍‌କୁ ମୋର ନୂଆଁଖାଇ ଜୁହାର୍” । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ନୂଆଁ ଖାଇ ସାର୍ଲା ପରେ ସଭେ ସବ୍‌କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ ର ଗୁଟେ ନିଆରା ପରମ୍ପରା ଆଏ ।

୨୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍‌ଶିତ୍‌ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ ଯୁବକ୍ ଯୁବତୀ ଶ୍ରମିକ୍ କିଶାନ୍ ଜୱାନ୍ ସମ୍‌କୁ ଅନୁରୋଧ୍ କରୁଛେଁ ।

ନୂଆଁଖାଇ ସମସ୍ତଙ୍କର ଜୀବନରେ ନୂଆଁ ଆଶା ସଞ୍ଚାରିତ କରୁ । ମାଁ ସମଲେଇ, ମହାପ୍ରଭୂ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍ ଶାନ୍ତି ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ ।

“ସମ୍‌କୁ ଫେର ଥରେ ମୋର ନୂଆଁଖାଇ ଜୁହାର୍” ଜୟ ମାଁ ସମ୍‌ଲେଇ…………………

ଗୁରୁବାର ଦିନ ରାଜଭବନର ଅଭିଷେକ ହଲଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ଼. କମ୍ଭମପାଟି ଓ ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କୁ ପୂଜା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ। ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନବାନ୍ନ ଭକ୍ଷଣ କରିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ଏହା ଧରିତ୍ରୀ ମାତା ଓ କୃଷକଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ଅବସର।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମୁର୍ମୁଙ୍କ ‘ଏକ୍ସ-‘ ହ୍ୟାଣ୍ଡେଲ୍ ରେ ଶୁଭେଚ୍ଛା ଦେଇ କହିଛନ୍ତି ଯେ ଏହି ପର୍ବ କୃଷକଙ୍କ ପ୍ରତି ଆମର କୃତଜ୍ଞତାର ସ୍ମରଣ କରାଏ ଏବଂ ବନ୍ଧୁତ୍ଵ ଓ ଆତ୍ମୀୟତାର ପ୍ରତୀକ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ‘ଏକ୍ସ’ରେ ଲେଖିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ଵ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ‘ଏକ୍ସ’ ଲେଖିଛନ୍ତି, ସମସ୍ତଙ୍କୁ ନୂଆଁଖାଇର ହାର୍ଦ୍ଦିକ ଶୁଭକାମନା। ଏହି ଲୋକପ୍ରିୟ ପର୍ବ କୃଷକମାନଙ୍କ ପ୍ରତି ଆମର ଗଭୀର କୃତଜ୍ଞତାର ସ୍ମରଣ କରାଏ, ଯାହାଙ୍କ କଠିନ ପରିଶ୍ରମ ଆମ ସମସ୍ତଙ୍କର ଭରଣପୋଷଣ କରେ। ପ୍ରତିଟି ଘରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ବିରାଜମାନ କରୁ । ନୂଆଁଖାଇ ଜୁହାର୍ !

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସିନ୍ଦୂର ପଙ୍କଠାରେ ଶ୍ୟାମସୁନ୍ଦର ପତିଙ୍କ ଘରେ ସପରିବାର ନୂଆଖାଇ ପାଳନ କରି ନବାନ୍ନ ଭୋଜନ କରିଛନ୍ତି। ତାଙ୍କ ମତରେ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏକ ଭାବାବେଗ। ସେହିପରି ସେ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ମନ୍ତ୍ରୀ , ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିଥିଲେ ।