ଲାଭଜନକ ଚାକିରୀ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ୍ ହେବ
କଟକ (ସଂକେତ୍ ଟିଭି)ଓଡ଼ିଶା ରାଜ୍ୟ ବାର୍ କାଉନସିଲ ଲାଭଜନକ ପଦବୀରେ ଅଧିଷ୍ଠିତ ଓକିଲମାନଙ୍କୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରିଛି। ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କାଉନସିଲ ସୂଚନା ଦେଇଛି ଯେ, ଏମିତି ଓକିଲଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ।
କାଉନ୍ସିଲ୍ର ନିଷ୍ପତ୍ତି ଅନୁଯାୟୀ, କାଉନସିଲର ସଦସ୍ୟତା ରଖୁଥିବା ଯେଉଁ ଓକିଲମାନେ କୌଣସି ଲାଭଜନକ ପଦବୀ, ଅନ୍ୟାନ୍ୟ କାର୍ଯ୍ୟକଳାପ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ୧ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏକ ମାସର ମଧ୍ୟରେ (ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ) ନିଜ ନିଜ ଓକିଲାତି ଲାଇସେନ୍ସ ସରେଣ୍ଡର କରିବାକୁ ପଡିବ। ନଚେତ୍ ଏହାକୁ ପେଶାଗତ ଅସଦାଚରଣ ବୋଲି ବିବେଚନା କରାଯିବ।
କାଉନ୍ସିଲ୍ ପକ୍ଷରୁ କୁହାଯାଇଛି ଯେ, ଆଇନ ପେଶାରେ ଯୋଗଦେବା ପାଇଁ ଲାଇସେନ୍ସ ନେଇଥିବା ଅନେକ ଓକିଲ ବିଭିନ୍ନ କମ୍ପାନି, ବ୍ୟବସାୟ, ଠିକା କାମ, ସରକାରୀ ଚାକିରୀ ଏବଂ ଅନ୍ୟାନ୍ୟ ପେଶାରେ କାର୍ଯ୍ୟରତ ରହିବା ସହିତ ଓକିଲାତି ମଧ୍ୟ କରୁଥିବାର ଅଭିଯୋଗ କାଉନସିଲ ପାଖ ପହଞ୍ଚିଛି।
ଏହି ପରିସ୍ଥିତିରେ ପେଶାଗତ ନୀତି ବିରୁଦ୍ଧ କାର୍ଯ୍ୟକଳାପକୁ ରୋକିବା ପାଇଁ ରାଜ୍ୟ ବାର୍ କାଉନସିଲ ସମସ୍ତ ଜିଲ୍ଲା ବାର୍ ଆସୋସିଏସନଙ୍କୁ ନିର୍ଦ୍ଦେଶ ଜାରି କରିଛି। ଆଡଭୋକେଟଙ୍କ ଆଇନ, ୧୯୬୧ ଅନୁଯାୟୀ, ଓକିଲାତି ଲାଇସେନ୍ସ ପ୍ରାପ୍ତ ହୋଇଥିବା ଜଣେ ଓକିଲ ପାଇଁ ଅନ୍ୟ କୌଣସି ପେଶା କରିବା ପେଶାଗତ ନୀତି ବିରୋଧୀ ଅଟେ।
ଏହି ନିୟମ ଅନୁସାରେ, ଏପରି ଓକିଲମାନଙ୍କୁ ନିଜ ଲାଇସେନ୍ସ କାଉନସିଲ ନିକଟ ସରେଣ୍ଡର କରିବାକୁ ପଡିଥାନ୍ତା, ମାତ୍ର ଓକିଲମାନେ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି। ଏହାରି ପ୍ରକ୍ରିୟାରେ ଗତ ୧୨ ଅପ୍ରେଲ୍ରେ ହୋଇଥିବା କାଉନସିଲର ସାଧାରଣ ସଭାରେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହି ନିଷ୍ପତ୍ତି ଉଲ୍ଲଂଘନ କରୁଥିବା ଓକିଲମାନଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଉନସିଲର ସଦସ୍ୟ ସଚିବ ଶ୍ରୀ ଯଯାତି କେଶରୀ ସାମନ୍ତସିଂହାର ସମସ୍ତ ବାର୍ ଆସୋସିଏସନକୁ ନିର୍ଦ୍ଦେଶ ଜାରି କରିଛନ୍ତି।

