କୌଣସି ପ୍ରକାରର ଧମକକୁ ସହ୍ୟ କରାଯିବ ନାହିଁ : ଟ୍ରମ୍ପଙ୍କୁ କଡା ସନ୍ଦେଶ ଦେଲେ ଜିନପିଙ୍ଗ
ନୂଆଦିଲ୍ଲୀ (ସଂକେତ୍ ଟିଭି) ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ଶାଙ୍ଘାଇ ସହଯୋଗ ସଂଗଠନ (SCO)ର ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ବିଶ୍ୱର ଏହି ତିନି ପ୍ରମୁଖ ନେତାଙ୍କ ଉପସ୍ଥିତି ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ କରିଥିଲା।
ଏହି ଅବସରରେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ କଡ଼ା ଭାଷଣ ଦେଇ ଶୀତଳ ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ସମ୍ପର୍କରେ ଧମକର ନିତିରେ ବିରୋଧ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସମୟରେ ଶୀତଳ ଯୁଦ୍ଧର ମାନସିକତା କିମ୍ବା କୌଣସି ପ୍ରକାରର ଧମକକୁ ସହ୍ୟ କରାଯିବ ନାହିଁ। ସି ଜିନପିଙ୍ଗ ଏସସିଓର ସମସ୍ତ ସଦସ୍ୟ ଦେଶଙ୍କୁ ପାରସ୍ପରିକ ଲାଭ ଉପରେ କାମ କରିବାକୁ ଅପିଲ କରିଛନ୍ତି।
ଚୀନ୍ ନ୍ୟୁଜ୍ ଚ୍ୟାନେଲ୍ ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି କହିଛନ୍ତି, “ସାଂଘାଇ ସହଯୋଗ ସଂଗଠନ (SCO)ର ସମସ୍ତ ସଦସ୍ୟ ଏହି ସଂଗଠନର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଜି ଏହାକୁ ବିଶ୍ୱର ସବୁଠାରୁ ବଡ଼ ସଂଗଠନ ମଧ୍ୟରେ ଗଣନା କରାଯାଏ। ସେଥିପାଇଁ ଆମକୁ ଶୀତଳ ଯୁଦ୍ଧର ମାନସିକତାକୁ ବିରୋଧ କରିବାକୁ ପଡିବ। ଏଠାରେ ମୁକାବିଲା ଏବଂ ଧମକ ପାଇଁ କୌଣସି ସ୍ଥାନ ନାହିଁ।”
ଚୀନ୍ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଆସୁଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ବିରୁଦ୍ଧରେ ଟାରିଫ୍ (ଶୁଳ୍କ) ବୃଦ୍ଧିର ଧମକୀ ଦେଉଛନ୍ତି ବୋଲି କୁହାଯାଉଛି। ଆମେରିକାର କୋର୍ଟ ମଧ୍ୟ ଟ୍ରମ୍ପଙ୍କ କେତେକ ଶୁଳ୍କ ନିଷ୍ପତ୍ତିକୁ “ଅବୈଧ” ଘୋଷଣା କରିଛନ୍ତି। ଉଲ୍ଲେଖ୍ୟ, ରୁଷରୁ ତେଲ କ୍ରୟ କରିବା ନେଇ ଟ୍ରମ୍ପ ପ୍ରଶାସନ ଭାରତ ଉପରେ ମଧ୍ୟ ୫୦ ପ୍ରତିଶତ ଶୁଳ୍କ ଆରୋପ କରିଛି। ଏଭଳି ପରିସ୍ଥିତିରେ ଚୀନ ରାଷ୍ଟ୍ରପତିଙ୍କ ଭାଷଣକୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଖ୍ୟା କରାଯାଉଛି।