ଦୁଇ କୋଟି ଟଙ୍କାର ଦୁର୍ନିତି ମାମଲାରେ ପୂର୍ବତନ ନିର୍ବାହୀ ଅଧିକାରୀ ଗିରଫ
ଝାରସୁଗୁଡ଼ା (ସଂକେତ ଟିଭି): ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ମାମଲାରେ ପୂର୍ବତନ ନିର୍ବାହୀ ଅଧିକାରୀ (ଇଓ) ତଥା ମୟୂରଭଞ୍ଜ ଜିଲ୍ଲାର ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି।
ମାମଲାରେ ଜଣାଯାଇଛି ଯେ, ଶ୍ରୀମତୀ ସିଂ ବେଲପାହାଡ଼ରେ କାର୍ଯ୍ୟରତ ଥିବା ସମୟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ଦାୟର କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସହୁଙ୍କୁ ଗିରଫ କରିଥିଲେ। ଗତ ୨୭ ତାରିଖରେ ଏହି ମାମଲାଟି ଇଓଡବ୍ଲୁଙ୍କ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଶ୍ରୀମତୀ ସିଂଙ୍କୁ ନିଲମ୍ବିତ କରାଯାଇଥିଲା।
ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ମାମଲାରେ ଇଓଡବ୍ଲୁ ପକ୍ଷରୁ ତଦନ୍ତ ଜାରି ରଖାଯାଇଛି। ତଦନ୍ତରେ ଜଣାପଡ଼ିଛି ଯେ କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ, ବରଂ ବର୍ତ୍ତମାନର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାଶବୁକ୍ ନଦେଖି ୨ କୋଟିରୁ ଅଧିକ ଟଙ୍କାର ଅନିୟମିତ ପ୍ରଦାନ ହୋଇଥିବା ବ୍ୟାପାରେ ଧରାପଡ଼ିଛି।
ଏହି ଘଟଣା ପରେ ଇଓଡବ୍ଲୁ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ପୁନର୍ବାର ଜିଜ୍ଞାସା କରିବାକୁ ଡକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ କେଉଁ ନିର୍ଦ୍ଦିଷ୍ଟ ତାରିଖରେ ତାଙ୍କୁ ହାଜର ହେବାକୁ ଡକା ଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶ୍ରୀ ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିବା ସମୟରେ କ୍ୟାଶବୁକ୍ କେଉଁଠାରେ ଥିଲା, ଟଙ୍କା ପ୍ରଦାନ ସମୟରେ ସେ କେଉଁ ସବୁ ଦସ୍ତାବେଜ୍ ପରିଦର୍ଶନ କରିଥିଲେ, ସେସବୁ ଦିଗ ଉପରେ ପୁନଃ ତଦନ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଅନ୍ୟ ପଟେ, ଏହି ଦୁର୍ନୀତି ମାମଲାରେ କେବଳ ମ୍ୟୁନିସିପାଲଟିର ଟ୍ରେଜରି ବିଭାଗ ନୁହେଁ, ବରଂ ଟ୍ରେଜେରି ନିର୍ଦ୍ଦେଶାଳୟ, ଡିୟୁଡିଏ (ଜିଲ୍ଲା ସହରୀ ବିକାଶ ସଂସ୍ଥା) ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଚରମ ଅବହେଳା ମଧ୍ୟ ପ୍ରକାଶ ପାଇଛି। ମ୍ୟୁନିସିପାଲଟିର ବିଲ୍, ପାଣ୍ଠି ଏବଂ କାର୍ଯ୍ୟ ସମ୍ପର୍କୀୟ ମାଳମାଳ ସମୀକ୍ଷା ବୈଠକ ହେଉଥିବା ସତ୍ତ୍ୱେ କିପରି ଏଭଳି ଏକ ବୃହତ୍ ଦୁର୍ନୀତି ଅଧିକାରୀମାନଙ୍କ ନଜରାଦାରୀରୁ ଖସିଗଲା, ତାହା ନେଇ ଏବେ ପ୍ରଶ୍ନ ଉଠୁଛି।