ଭାରତରେ ପ୍ରଥମ ସ୍ଵଦେଶୀ ଚିପ୍ : ବିକ୍ରମ-୩୨ ର ଶୁଭାରମ୍ଭ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ନେଇଛି । ‘ସେମିକନ୍ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଭାରତୀୟ ସେମିକଣ୍ଡକ୍ଟର ଲାବରେଟୋରୀ (SCL), ଯାହାକୁ ଇସ୍ରୋ ପରିଚାଳନା କରେ, ସେହି ସଂସ୍ଥା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବଦେଶୀ ନିର୍ମିତ ୩୨ ବିଟ୍ ମାଇକ୍ରୋପ୍ରୋସେସର ଚିପ୍ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।
ସେମିକଣ୍ଡକ୍ଟର ଡିଭାଇସ୍ ଉତ୍ପାଦନ କ୍ଷେତ୍ରରେ ଭାରତ ଆଜି ନିଜର ଆତ୍ମନିର୍ଭରଶୀଳତାକୁ ପ୍ରଗତି ଆଡ଼କୁ ନେଇଛି ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହି ଚିପ୍କୁ ‘ବିକ୍ରମ-୩୨’ ନାମ ଦିଆଯାଇଛି । ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନ ଓ କୌଶଳରେ ନିର୍ମିତ ଏହି ଚିପ୍କୁ ମହାକାଶ ଯାନରେ ବ୍ୟବହାର ପାଇଁ ବିକଶିତ କରାଯାଇଛି । SCL ଦାବି କରିଛି ଯେ, ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହି ଚିପ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ଗତ PSLV-C୬୦ ମିଶନ୍ ଉତ୍କ୍ଷେପଣ ସମୟରେ ଏହି ବିକ୍ରମ-୩୨୦୧ ଡିଭାଇସ୍କୁ ପରୀକ୍ଷାମୂଳକ ଭାବେ ଯୋଗ କରାଯାଇଥିଲା ଏବଂ ଏହା ସଫଳତାର ସହିତ ମହାକାଶରେ କାର୍ଯ୍ୟକାରୀ ହୋଇଥିଲା । ଇସ୍ରୋ ଦ୍ୱାରା ବିକଶିତ ଏହି ବିକ୍ରମ ଚିପ୍କୁ ଗତ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ କରାଯାଇଥିଲା । ୨୦୨୧ରେ ଆରମ୍ଭ ହୋଇଥିବା ଭାରତୀୟ ସେମିକଣ୍ଡକ୍ଟର ମିଶନ୍ ପରଠାରୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଭାରତର ଭୂମିକା ଏହି ସ୍ବଦେଶୀ ଚିପ୍ ମାଧ୍ୟମରେ ଏକ ଉଲ୍ଲେଖନୀୟ ମାଇଲ୍ଖୁଣ୍ଟ ସାବ୍ୟସ୍ତ କରିଛି ।