EducationFeaturedLatestNews

ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି ନେଇ ସୁପ୍ରିମକୋର୍ଟଙ୍କ ରାୟର ତର୍ଜମା କରିବେ ରାଜ୍ୟ ସରକାର

ଭୁବନେଶ୍ବର (ସଂକେତ ଟିଭି): ଶିକ୍ଷକ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ଟିଚର୍ସ ଇଲିଜିବିଲିଟି ଟେଷ୍ଟ୍ (TET) ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଶିକ୍ଷକ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଟିଇଟି ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକମାନଙ୍କୁ ମଧ୍ୟ ପଦୋନ୍ନତି ପାଇଁ ଏହି ଯୋଗ୍ୟତା ହାସଲ କରିବାକୁ ହେବ।

ଶିକ୍ଷା ଅଧିକାର ଆଇନ, ୨୦୦୯ ପ୍ରଚଳନ ପୂର୍ବରୁ ନିଯୁକ୍ତି ପ୍ରାପ୍ତ ଶିକ୍ଷକମାନଙ୍କ ମଧ୍ୟରୁ, ଯେଉଁମାନଙ୍କର ଅବସର ପାଇଁ ୫ ବର୍ଷରୁ ଅଧିକ ସମୟ ଅଛି, ସେମାନଙ୍କୁ ଟିଇଟି ଉତ୍ତୀର୍ଣ୍ଣ ହେବାପାଇଁ ୨ ବର୍ଷର ସମୟସୀମା ଦିଆଯାଇଛି। ଏହି ଦୁଇ ବର୍ଷ ମଧ୍ୟରେ ଯଦି ସେମାନେ ଟିଇଟିରେ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ, ତେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଗ୍ରହଣ କରିବାକୁ ହେବ। ଅବଶ୍ୟ, ଯେଉଁ ଶିକ୍ଷକମାନଙ୍କର ଅବସର ପାଇଁ ୫ ବର୍ଷରୁ କମ୍ ସମୟ ଅଛି, ସେମାନଙ୍କପାଇଁ ଏହି ନିୟମ ପ୍ରଯୋଜ୍ୟ ହେବ ନାହିଁ।

ଏହି ରାୟ ପ୍ରକାଶ ପରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଶିକ୍ଷା ବିଭାଗ ଏହି ରାୟର ତର୍ଜମା ଉପରେ ଆଲୋଚନା କରିବ। ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକମାନଙ୍କ ସ୍ୱାର୍ଥକୁ ମଧ୍ୟ ଦେଖାଯିବ। ଅନ୍ୟ ରାଜ୍ୟଗୁଡ଼ିକ କି ପ୍ରକାର ବିଚାର କରୁଛନ୍ତି, ତାହାକୁ ମଧ୍ୟ ନଜରରେ ରଖାଯିବ। ପୂର୍ବରୁ ବିନା ଟିଇଟିରେ ନିଯୁକ୍ତ ହୋଇଥିବା ଶିକ୍ଷକମାନଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇପାରିବ, ତାହା ନେଇ ବିଭାଗ ଆଲୋଚନା କରିବ।

ଉଲ୍ଲେଖ୍ୟ, ଟିଇଟି ବାଧ୍ୟତାମୂଳକ କି ନୁହେଁ ବିଷୟକ ତାମିଲନାଡୁ ଓ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସଂଖ୍ୟାଲଘୁ ବିଦ୍ୟାଳୟଗୁଡ଼ିକରେ ଆର୍‌ଟିଇ ଆଇନ ଲାଗୁ ହେବା ସଂକ୍ରାନ୍ତରେ ବୃହତ୍ତର ଖଣ୍ଡପୀଠର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ଏହି ନିୟମ ସେହି ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଲାଗୁ ହେବ ନାହିଁ।