FeaturedLatestNews

ଗୁରୁତର ଅବସ୍ଥାରେ ଏମ୍ସରେ ଅଭିଜିତ ମଜୁମଦାର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର (ସଂକେତ ଟିଭି): ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ଅଗଷ୍ଟ ୩୧ ତାରିଖରେ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶରୀରରେ ସୋଡିୟମ୍ ପରିମାଣ କମିଯାଇଥିବାରୁ ସେ ଅସୁସ୍ଥ ହୋଇପଡିଥିଲେ । ଆଜି ସକାଳୁ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି ।

ବର୍ତ୍ତମାନ ସେ ଭେଣ୍ଟିଲେଟର ସହାୟତାରେ ଏମ୍ସର ଟ୍ରମା କେୟାର ୟୁନିଟ୍ ରେ ଚିକିତ୍ସିତ ହେଉଛନ୍ତି ଏବଂ ଶୀଘ୍ର ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତରିତ କରାଯିବ । ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ଅନୁସାରେ, ଅଭିଜିତଙ୍କ ମସ୍ତିଷ୍କରେ ସୋଡିୟମ୍ କମିଯାଇଛି, ନିଃଶ୍ୱାସ ନେବାରେ ସମସ୍ୟା ହେଉଛି ଏବଂ କିଡନୀ ସମେତ ଅନ୍ୟାନ୍ୟ ଅଙ୍ଗରେ ମଧ୍ୟ ସମସ୍ୟା ରହିଛି । ଡାକ୍ତରଙ୍କ କଥାନୁଯାୟୀ, ମସ୍ତିଷ୍କ ସମସ୍ୟା ଯକୃତ ସମସ୍ୟା ଅପେକ୍ଷା ଅଧିକ ଗୁରୁତର ଅଟେ ।

ଏହି ଗୁରୁତର ପରିସ୍ଥିତିରେ ଅଭିନେତା ବାବୁସାନ ମହାନ୍ତି ସମେତ ଅନେକ କଳାକାର ଓ ପ୍ରଶଂସକ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ବାବୁସାନ ମହାନ୍ତି କହିଛନ୍ତି, “ଦର୍ଶକମାନଙ୍କୁ ଅନୁରୋଧ, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ… ସେ ବହୁତ ଶୀଘ୍ର ଠିକ୍ ହୋଇ ଗୀତ କମ୍ପୋଜ୍ କରନ୍ତୁ ଓ ଗାଆନ୍ତୁ ।” ଓଲିଉଡ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଏବଂ ଅଭିନେତା ଶ୍ରୀତମ ଦାସ ମଧ୍ୟ ହସ୍ପିଟାଲରେ ଉପସ୍ଥିତ ହୋଇ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ଅଭିଜିତ ମଜୁମଦାର ଓଡ଼ିଆ ସଙ୍ଗୀත ଜଗତର ଏକ ଜଣାଶୁଣା ନାମ । ସେ ଜଣେ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି । ‘ତୋର କଞ୍ଚା ହଳଦୀ’, ‘ତୋ ରିବନ ଫିତା’, ‘ତୋ ହୃଦୟ କିଛି କହିଲା’, ‘ଏ ରଙ୍ଗବତୀ’ ଆଦି ତାଙ୍କର କିଛି ଅତ୍ୟନ୍ତ ଲୋକପ୍ରିୟ ଗୀତ । ପ୍ରଥମେ ସମ୍ବଲପୁରୀ ଗୀତରେ କାର୍ଯ୍ୟ ଆରମ୍ଭ କରିଥିବା ଅଭିଜିତ ପରବର୍ତ୍ତୀ ସମୟରେ ଓଡ଼ିଆ କଥାଚିତ୍ର ଜଗତରେ ସକ୍ରିୟ ଭାବରେ ଜଡିତ ହୋଇଥିଲେ ।