ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦୁଇଦିନିଆ ଦିଲ୍ଲୀ ଗସ୍ତ, ଉପରାଷ୍ଟ୍ରପତି ନିର୍ବାଚନ ଓ ଆଲୋଚନା କେନ୍ଦ୍ରବିନ୍ଦୁ
ଭୁବନେଶ୍ୱର (ସଂକେତ ଟିଭି): ଉପରାଷ୍ଟ୍ରପତି ନିର୍ବାଚନ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୁଇଦିନିଆ ଗସ୍ତରେ ନୂଆଦିଲ୍ଲୀ ଯାଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ୦୯ ସେପ୍ଟେମ୍ବରରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ଏହି ଗସ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ ଅଟେ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଓଡ଼ିଶାର ସାଂସଦମାନଙ୍କୁ ଭେଟିବେ ଏବଂ ଜରୁରୀ ଆଲୋଚନା କରିବେ। ଏହି କ୍ରମରେ ବିଜେଡିକୁ ନେଇ ଗଠିତ ବିଜେପିର ରାଜ୍ୟ ସଭା ସାଂସଦ ଏବଂ ରାଜ୍ୟ ସଭା ଦଳର ନେତା ମନମୋହନ ସାମଲ ମଧ୍ୟ ଗତକାଲିରୁ ନୂଆଦିଲ୍ଲୀରେ ଅଛନ୍ତି ବୋଲି ଖବର ମିଳିଛି।
ଉଲ୍ଲେଖ୍ୟ, ମୁଖ୍ୟମନ୍ତ୍ରୀ ମାଝୀ ଏହାପୂର୍ବେ ଗତ ୫ ସେପ୍ଟେମ୍ବରରେ ଦିଲ୍ଲୀରୁ ଫେରିଥିଲେ। ସେହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଥିଲେ।
ସେହି ଭେଟରେ ରାଷ୍ଟ୍ରପତିଙ୍କ ସହ ଓଡ଼ିଶାର ବିକାଶ ପରିଯୋଜନା ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଲୋଚନା ହୋଇଥିଲା। ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ଏବଂ ଆଇଟି କ୍ଷେତ୍ରର ପ୍ରସାର ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ମଧ୍ୟ ଆଲୋଚନା ଚାଲିଥିଲା।