CrimeLatestNews

ଭଦ୍ରକ ସହରରେ ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଚୋରି

ଭଦ୍ରକ (ସଂକେତ ଟିଭି): ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦୋକାନମାନଙ୍କୁ ଚୋରିର ଦାଉରୁ ରକ୍ଷା କରିବା ପାଇଁ ଲଗାଯାଇଥିବା ସିସିଟିଭି କ୍ୟାମେରାଗୁଡ଼ିକ ନିଜେ ଚୋରଙ୍କ ଚୋରି ବସ୍ତୁ ହୋଇଗଲେଣି । ଗୋଟିଏ ରାତିରେ ଭଦ୍ରକ ସହର ଓ ଏହାର ଆଖପାଖ ଅଞ୍ଚଳର ଦୋକାନରୁ ପ୍ରାୟ ୨୨ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଚୋରି ହୋଇଛି । ଏହି ଘଟଣାକୁ ନେଇ ଭଦ୍ରକ ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ଦାୟର ହୋଇଛି ।

ସିସିଟିଭି ରେକର୍ଡିଂରୁ ମିଳିଥିବା ଭିଡିଓ ଫୁଟେଜରେ ଦେଖାଯାଇଛି ଯେ ଏକ କଳା ରଙ୍ଗର ବ୍ୟାଟେରୀ ଚାଳିତ ଗାଡ଼ିରେ ଆସି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ସହର ମଧ୍ୟରେ ବୁଲି ବୁଲି ବିଭିନ୍ନ ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଚୋରି କରୁଥିଲେ। ଜଣେ ଯୁବକ ଗାଡ଼ି ଚଳାଉଥିବା ବେଳେ ଅନ୍ୟ ଯୁବକ ଜଣକ ମୁହଁରେ ରୁମାଲ ବାନ୍ଧି କ୍ୟାମେରା ଚୋରି କରିଥିବା ଦେଖିବାକୁ ମିଳିଛି ।

ଭଦ୍ରକ ଏସପି କାର୍ଯ୍ୟାଳୟ ସାମ୍ନା, ନରିପୁର, ବନ୍ତଛକ, ଆରଡ଼ି ଛକ ପରି ଅନେକ ମୁଖ୍ୟ ଛକ ଓ ସେହିଠାରେ ଥିବା ଦୋକାନମାନଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଲୁଟ୍ ହୋଇଛି । ଘଟଣାର ଖବର ମିଳିବା ପରେ ପୋଲିସ ଦୋକାନଗୁଡ଼ିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହିଭଳି ସିସିଟିଭି କ୍ୟାମେରା ଚୋରି କରିବା ପଛରେ ଆଗକୁ ବଡ଼ ଧରଣର ଲୁଟ୍ କରିବାର ଯୋଜନା ଥାଇପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିପାଇଁ ଭଦ୍ରକର ଅତିରିକ୍ତ ଏସପି କହିଛନ୍ତି ଯେ ସମସ୍ତ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ପୋଲିସ ଗୁରୁତର ଭାବରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି