FeaturedLatestNews

ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ।

ଚଳିତ ଥର ଅଧିବେଶନରେ ମାତ୍ର ୭ଟି କାର୍ଯ୍ୟ ଦିବସ ରହିଛି ବୋଲି ଖବରରେ ଉଲ୍ଲେଖ ରହିଛି। ଅଧିବେଶନ ୨୫ ତାରିଖ ଯାଏଁ ଚାଲିବ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସମସ୍ତ ରାଜନୈତିକ ଦଳର ନେତାମାନେ ଯୋଗଦେବେ ଏବଂ ବିଧାନସଭା କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବା ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଲୋଚନା ହେବ।

ଅନ୍ୟପଟେ, ଶୀତକାଳୀନ ଅଧିବେଶନକୁ ଲକ୍ଷ୍ୟ ରଖି ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍ରେ ଚାଲିଛି। ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ବିଧାନସଭାରେ ଉତ୍ଥାପିତ ହେବାକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ସଠିକ୍ ଭାବରେ ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କୁ ବ୍ୟକ୍ତିଗତ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶନାମାରେ ବିଭାଗୀୟ ସଚିବମାନଙ୍କୁ ବିଦେଶ ଯାତ୍ରା କରିବାକୁ ମନା କରାଯାଇଛି ଏବଂ ରାଜ୍ୟ ବାହାରକୁ ଗସ୍ତ ଯଥାସମ୍ଭବ ସୀମିତ କରିବାକୁ କୁହାଯାଇଛି। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଗସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଘୁଞ୍ଚାଇବାକୁ ପରାମର୍ଶ ଦିଆଯାଇଛି।