FeaturedLatestNews

ରାୟଗଡ଼ା ପୌରସଭାରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର (ସଂକେତ ଟିଭି): ରାୟଗଡ଼ା ପୌରସଭାର ଉପାଧ୍ୟକ୍ଷା ଏବଂ ବିଜଡି ନେତ୍ରୀ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣାଯାଇଛି। ଆଜି ପୌରସଭାର ୧୯ ଜଣ କାଉନସିଲର ଏହି ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାଖଲ କରିଛନ୍ତି। ଉଲ୍ଲେଖ୍ୟ, ମୋଟ ୨୪ ଜଣ ସଭ୍ୟ ଥିବା ଏହି ପୌରସଭାରେ ବହୁଗରିଷ୍ଠ ସଂଖ୍ୟକ ସଭ୍ୟଙ୍କ ଦ୍ୱାରା ଏହି ପ୍ରସ୍ତାବ ଆଣାଯିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ଚିହ୍ନିତ ହୋଇଛି।

ଏହି ଘଟଣାକ୍ରମ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ବିଜଡିରୁ ଇସ୍ତଫା ଦେବାର ପରବର୍ତ୍ତୀ ପ୍ରତିକ୍ରିୟା ବୋଲି ଅନୁମାନ କରାଯାଉଛି। ରାଓଙ୍କ ଇସ୍ତଫା ପରେ ତାଙ୍କର ସମର୍ଥିତ ନିର୍ବାଚିତ ପ୍ରତିନିଧିମାନେ ଏହି ପଦକ୍ଷେପ ନେଇଛନ୍ତି। ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜଡିର ଜିଲ୍ଲା ସଭାପତି ଜଗନ୍ନାଥ ସାରକା ଏବଂ ସୁଧୀର ଦାସଙ୍କ ସମର୍ଥକ ଭାବରେ ଜଣାଶୁଣା।

ରାଜନୈତିକ ବିଶ୍ଳେଷକମାନେ ମତଦେଇଛନ୍ତି ଯେ ଏହି ଘଟଣା ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ଏବଂ ସ୍ଥାନୀୟ ନିକାୟଗୁଡ଼ିକରେ ମଧ୍ୟ ଏହାଭଳି ରାଜନୈତିକ ଅସ୍ଥିରତା ସୃଷ୍ଟି କରିପାରେ। ଏହି ପରିସ୍ଥିତିରେ ଜିଲ୍ଲାର ଭବିଷ୍ୟତର ରାଜନୈତିକ ପରିବେଶ ନେଇ ଆଶଙ୍କା ସୃଷ୍ଟି ହୋଇଛି।