FeaturedLatestNews

ମୟୂରଭଞ୍ଜରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ସମୀକ୍ଷା ଓ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ନବଜାତ ଶିଶୁମାନଙ୍କର ଉପଯୁକ୍ତ ପୋଷଣ ସହ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା ହୋଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ଏକ ବିବରଣୀ ଉପସ୍ଥାପନ କରାଯାଇଥିଲା।

ବୈଠକ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାର ଶିକ୍ଷାକୁ ଆଗେଇ ନେବାରେ ମୟୂରଭଞ୍ଜ ଜିଲ୍ଲାର ଅବଦାନ ଅତୁଳନୀୟ। ମୟୂରଭଞ୍ଜରେ ଅନେକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଅଛି। ଏହି ଜିଲ୍ଲାର ବିକାଶ ନ ହେଲେ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନ ସମ୍ଭବ ହୋଇପାରିବ ନାହିଁ। ବୈଠକରେ ନବଜାତ ଶିଶୁଙ୍କ ପୋଷଣ ଠାରୁ ଆରମ୍ଭ କରି ସେମାନେ ଦ୍ୱାଦଶ ଶ୍ରେଣୀରେ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ, ଦକ୍ଷତା ବୃଦ୍ଧି ହୋଇପାରିବ, ସ୍ୱାସ୍ଥ୍ୟ ଠିକ୍ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଆବଶ୍ୟକ। ସାକ୍ଷରତା ହାର ବୃଦ୍ଧି କରିବା ସହ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ଦିଗରେ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ।

ଏହି ସମୀକ୍ଷା ବୈଠକରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ମୟୂରଭଞ୍ଜ ଜିଲ୍ଲା ବାରିପଦା ଗସ୍ତକାଳରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବାରିପଦାରେ ‘ମୟୂରଭଞ୍ଜ ଆଥଲେଟିକ୍ ଆସୋସିଏସନ’ର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର। ବାରିପଦାରେ ପ୍ରଶାସନିକ ଭବନ ଆମର ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ତଥା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ମୟୂରଭଞ୍ଜର ସାଂସ୍କୃତିକ ପରମ୍ପରାର ପ୍ରତୀକ ହେଉଛି ଛଉ ନୃତ୍ୟ। ବାରିପଦା ଛଉ ପେଣ୍ଡାଲ ସହ ପାର୍ଶ୍ୱରେ ଥିବା ପଡ଼ିଆର ଉନ୍ନତିକରଣ ହେବ। ଆଗାମୀ ଦିନରେ ଏହି ପ୍ରକଳ୍ପ ଛଉ ନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସୁନ୍ଦର ଭିତ୍ତିଭୂମି ଯୋଗାଇବ। ମୟୂରଭଞ୍ଜର ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏହି ସ୍ଥାନକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ବାଲେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ବେତନଟୀ ଦେଇ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୟୂରଭଞ୍ଜ ବାରିପଦା ଅଭିମୁଖେ ଯାତ୍ରା କରିଥିଲେ। ଶ୍ରୀ ପ୍ରଧାନଙ୍କୁ ବାଲେଶ୍ଵର, ରେମୁଣା, ବଡ଼ସାହି, ମୋରଡ଼ା ଓ ବେତନଟୀ ସମେତ ଅନେକ ସ୍ଥାନରେ ସାଧାରଣ ନାଗରିକ ଓ କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ। ବାରିପଦାରେ ଜନଜାତି ସମ୍ପ୍ରଦାୟର ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଥିଲେ।