୧୨ ଜିଲ୍ଲାରେ ୨୭ଟି ଶିଳ୍ପ ନୂତନ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ୱର୍ଣ୍ଣାଙ୍କିତ ଅଧ୍ୟାୟ ଯୋଡିଛନ୍ତି। ଓଡ଼ିଶା ଟୁରିଜମ୍ କନଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ ରାଜ୍ୟର ୫୨,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ଯେତେବେଳେ ଓଡ଼ିଶାକୁ ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଆମେ ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ଭାବରେ ଗଢିବାକୁ ଚାହୁଁଛୁ ଏବଂ ଉଚ୍ଚ ମୂଲ୍ୟର ଉତ୍ପାଦନ ଦିଗରେ ନିବେଶକମାନଙ୍କୁ ଆକର୍ଷିତ କରୁଛୁ।”
ସେ ଆଗକୁ କହିଛନ୍ତି ଯେ ମାତ୍ର ୧୫ ମାସର ସରକାରୀ କାର୍ଯ୍ୟକାଳ, ତାଙ୍କ ସରକାର ୨୬୦ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ଏହି ଅବଧିରେ ୮୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇସାରିଛି, ଯାହାଦ୍ୱାରା ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇ ୧,୬୪,୦୦୦ ଲୋକଙ୍କ ପାଇଁ ଚାକିରି ସୃଷ୍ଟି ହୋଇଛି।
ଶିଳ୍ପପତିମାନଙ୍କୁ ସନ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା ସେମାନଙ୍କ ସହାୟତାରେ ରହିଛନ୍ତି ଏବଂ କୌଣସି ଅସୁବିଧା ଦୂର କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ‘ଏକ୍ ପେଡ ମା କି ନାମ୍ ୨.୦’ ଅଭିଯାନରେ ସମସ୍ତ ଶିଳ୍ପାନୁଷ୍ଠାନକୁ ଅଧିକ ତଥା ଅଧିକ ଗଛ ରୋପଣ କରିବାକୁ ଆହ୍ୱାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ (୧୭ ସେପ୍ଟେମ୍ବର) ଉପଲକ୍ଷେ ଓଡ଼ିଶାବାସୀ ୭୫ ଲକ୍ଷ ଗଛ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବଂ ଶିଳ୍ପସଂସ୍ଥାମାନଙ୍କୁ ଏହି ଅଭିଯାନରେ ଯୋଗ ଦେବାକୁ ଆହ୍ୱାନ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଦକ୍ଷତା ବିକାଶ ବିଭାଗର ସଚିବ ଭୁପେନ୍ଦ୍ର ସିଂ ପୁନିଆ ଉପସ୍ଥିତ ଥିଲେ।