ଭୋଟ୍ ଡିଲିଟ୍ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ : କହିଲେ କେହି ଜଣେ ଚଳାଉଛି ଏହି ଷଡଯନ୍ତ୍ର
ନୂଆଦିଲ୍ଲୀ (ସଂକେତ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ ଚୋରି ପ୍ରସଙ୍ଗରେ ପୁଣି ଥରେ ନିର୍ବାଚନ କମିଶନ ଏବଂ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଭୋଟ ଚୋରି ବିଷୟରେ ମୁଁ ଯାହା କହୁଛି, ତାହା ମୁଁ ଅତ୍ୟନ୍ତ ଦାୟିତ୍ୱର ସହିତ କହୁଛି। ମୋ ପାଖରେ ଏହାର ପ୍ରମାଣ ମଧ୍ୟ ଅଛି। ଭୋଟର ତାଲିକାରୁ ଅନେକ ଲୋକଙ୍କ ନାମ ବାଦ ଦିଆଯାଇଛି।”
ରାହୁଲଙ୍କ କହିବା ମୁତାବକ, “ପ୍ରଥମେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏହା ଏକ ହାଇଡ୍ରୋଜେନ୍ ବୋମା ନୁହେଁ। ହାଇଡ୍ରୋଜେନ୍ ବୋମା ଆସିବାକୁ ଯାଉଛି। ଏବେ ଆମେ ଦେଶର ଯୁବପିଢ଼ିଙ୍କୁ ଏହା ଦେଖାଇବାକୁ ଚାହୁଁଛୁ ଯେ, ନିର୍ବାଚନରେ କିପରି ହେରଫେର ହେଉଛି। ଅଲନ୍ଦ ହେଉଛି କର୍ଣ୍ଣାଟକର ଏକ ନିର୍ବାଚନମଣ୍ଡଳୀ। କେହି ଜଣେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲେ। ୨୦୨୩ ନିର୍ବାଚନରେ ଅଲନ୍ଦରେ ମୋଟ କେତେ ଭୋଟ୍ ଡିଲିଟ୍ କରାଯାଇଥିଲା ତାହା ଆମେ ଜାଣି ନାହୁଁ। ଏହି ସଂଖ୍ୟା ୬୦୧୮ ଅପେକ୍ଷା ବହୁତ ଅଧିକ ହୋଇପାରେ।”
ସେ ଆହୁରି କହିଛନ୍ତି, “ଭୋଟ୍ ଡିଲିଟ୍ ହେବା ଦେଖି ବୁଥ୍-ସ୍ତରୀୟ ଅଧିକାରୀ ଯାଞ୍ଚ କରିଥିଲେ। ସେ ଦେଖିଲେ ଯେ, ତାଙ୍କ ଦାଦାଙ୍କ ଭୋଟ୍ ଡିଲିଟ୍ କରାଯାଇଛି। ତେଣୁ ସେ ତାଙ୍କ ଦାଦାଙ୍କ ଭୋଟ୍ କିଏ ଡିଲିଟ୍ କରିଛି ତାହା ଜାଣିବାକୁ ତଦନ୍ତ କଲେ। ଯାଞ୍ଚ ପରେ ସେ ଜାଣିପାରିଲେ ଯେ, ଭୋଟ୍ ଡିଲିଟ୍ କରିଥିବା ବ୍ୟକ୍ତି ତାଙ୍କର ଜଣେ ପଡ଼ୋଶୀ। ସେ ତାଙ୍କ ପଡ଼ୋଶୀଙ୍କୁ ଏବଷୟରେ ପଚାରିବାରୁ ସେ କୌଣସି ଭୋଟ୍ ଡିଲିଟ୍ କରିନାହାଁନ୍ତି ବୋଲି କହିଥିଲେ। ଭୋଟ୍ ଡିଲିଟ୍ କରିଥିବା ବ୍ୟକ୍ତି କିମ୍ବା ଯାହାର ଭୋଟ୍ ଡିଲିଟ୍ କରାଯାଇଥିଲା ସେ ଏହା ବିଷୟରେ ଜାଣି ନଥିଲେ। ଅନ୍ୟ କେହି ହାଇଜାକ୍ କରି ଭୋଟ୍ ଡିଲିଟ୍ କରିଥିଲା। ଭୋଟରଙ୍କ ନାମ ବାଦ ଦେବା ପାଇଁ ବିଭିନ୍ନ ରାଜ୍ୟର ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିଲା। ଏସବୁ କାମ ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି। ସେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଯେଉଁମାନେ ଭାରତୀୟ ଗଣତନ୍ତ୍ରକୁ ନଷ୍ଟ କରୁଛନ୍ତି।”
ରାହୁଲଙ୍କ ଏଭଳି ଦାବିକୁ ଏବେ ଖଣ୍ଡନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ଇସିଆଇ)। ରାହୁଲ ଗାନ୍ଧୀଙ୍କ ଭୋଟର ତାଲିକା ହେରଫେର ଅଭିଯୋଗକୁ ଖାରଜ କରି ଏହାକୁ ଭୁଲ ଏବଂ ଭିତ୍ତିହୀନ ବୋଲି କହିଛନ୍ତି ଇସିଆଇ। ଏହା ସହିତ ଅନଲାଇନରେ ଭୋଟ ଡିଲିଟ୍ କରାଯାଇପାରିବ ନାହିଁ ବୋଲି ଗୁରୁତ୍ୱାରୋପ କରିଛନ୍ତି।
ଇସିଆଇ ପକ୍ଷରୁ ଏକ୍ସରେ ପୋଷ୍ଟ କରି କୁହାଯାଇଛି ଯେ, “ପ୍ରଭାବିତ ବ୍ୟକ୍ତିଙ୍କୁ ନିଜ କଥା ରଖିବାର ସୁଯୋଗ ନଦେବା ପର୍ଯ୍ୟନ୍ତ କିଛି ହଟାଯାଇପାରିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣାଟକର ଅଲନ୍ଦରେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ ନେଇ ରାହୁଲ କହିଛନ୍ତି। ଏହାକୁ ନିର୍ବାଚନ କମିଶନ ଚିହ୍ନଟ କରି ସାମ୍ନାକୁ ଆଣିଥିଲା ଏବଂ ଏହାର ତଦନ୍ତ କରିବାକୁ ଏତଲା ମଧ୍ୟ ଦିଆଯାଇଥିଲା।”
ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦାବି କରିଥିଲେ ଯେ, “ମୁଖ୍ୟ ନିର୍ବାଚନ କମିଶନର ଗ୍ୟାନେଶ କୁମାର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି।” ଏହା ଉପରେ ପ୍ରତିକ୍ରିୟା ଦେଇ ଇସିଆଇ କହିଛି ଯେ, “ନାଁ ନେଇ ମୁଖ୍ୟ ନିର୍ବାଚନ �କମିଶନରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ। ସେ ମାତ୍ର ଛଅ ମାସ ପୂର୍ବରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ବର୍ଷ ହୋଇଥିବା ଅନିୟମିତତା ଅଭିଯୋଗ ପାଇଁ ତାଙ୍କୁ ସିଧାସଳଖ ଦାୟୀ କରିବା ଅନୁଚିତ୍।”