FeaturedLatestNewsPolitics

ସାର ସମସ୍ୟାକୁ ନେଇ ବିଜେଡିର ହଲ୍ଲାବୋଲ୍, ୨୨ ଯାଏଁ ଗୃହ କାର୍ଯ୍ୟ ସ୍ଥଗିତ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅବହେଳାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନଙ୍କ ନାରାବାଜି ଯୋଗୁଁ ତୃତୀୟ ଦିନରେ ମଧ୍ୟ ଓଡ଼ିଶା ବିଧାନସଭାର ଗୃହ କାର୍ଯ୍ୟ ସୁଚାରୁ ଭାବେ ଚାଲିପାରିଲା ନାହିଁ। ଆଲୋଚନା ସୁରୁଖୁରୁରେ ଚାଲିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ।

ଗୃହ କାର୍ଯ୍ୟର ଦ୍ଵିତୀୟାର୍ଦ୍ଧ ଆରମ୍ଭ ହେବା ସହିତ ବିଜେଡି ବିଧାୟକମାନେ ନାରାବାଜି ଆରମ୍ଭ କରିଥିଲେ। ସେମାନେ ଗୃହ ମଧ୍ୟଭାଗରେ ପୋଷ୍ଟର ଦେଖାଇ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରସଙ୍ଗ ଉଠାଇ ଜୋର୍ଦାର ନାରାବାଜି କରିଥିଲେ। ଏଥିରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଗୃହରେ ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଥିଲେ, ମାତ୍ର ବିଜେଡି ବିଧାୟକମାନେ ତାହା ମାନିନଥିଲେ।

ଫଳସ୍ୱରୂପ, ବାଚସ୍ପତି ଆସନ୍ତା ସୋମବାର (ସେପ୍ଟେମ୍ବର ୨୨, ସକାଳ ୧୦ଟା) ଯାଏଁ ଗୃହକୁ ମୁଲତବି ରଖିଛନ୍ତି। ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚତୁର୍ଥ ଅଧିବେଶନରେ ଆହୁରି ଛଅଟି ସରକାରୀ କାର୍ଯ୍ୟଦିବସ ରହିଛି। ଉଲ୍ଲେଖ୍ୟ, ଗତ ୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ଗତ ଦୁଇ ଦିନ ଧରି ବିଜେଡିର ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ପ୍ରାୟ ଚାଲିନଥିଲା। ଗତକାଲି ମଧ୍ୟ ମାତ୍ର ୮ ମିନିଟ୍ ପାଇଁ ଗୃହ ଚାଲିଥିବା ବେଳେ ଆଜି ଏହା ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା।