୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ ଏଏସ୍ଆଇ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଅନନ୍ତପୁର ଫାଣ୍ଡିର ଏଏସ୍ଆଇ ହୃଷିକେଶ ବିଶ୍ୱାଳଙ୍କୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦଳ ଗିରଫ କରିଛି । ବାଲେଶ୍ବର ଜିଲ୍ଲାର ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡିରେ ଭିଜିଲାନ୍ସ ଟିମ୍ ଅଚାନକ ଚଢାଉ କରିଥିଲା । ଏହି ଚଢାଉରେ ଏଏସ୍ଆଇ ବିଶ୍ୱାଳ ଲାଞ୍ଚର ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି ।
ଘଟଣାଟି ସମ୍ପର୍କରେ ଜଣାଯାଏ ଯେ, ଏକ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲକୁ ରିଲିଜ୍ କରାଇବା ପାଇଁ ଅଭିଯୋଗକାରୀଙ୍କଠାରୁ ଏଏସ୍ଆଇ ବିଶ୍ୱାଳ ପ୍ରଥମେ ୧୦,୦୦୦ ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଏତିକି ଅର୍ଥ ଦେବାକୁ ଅକ୍ଷମ ହୋଇଥିବାରୁ ଏଏସ୍ଆଇ ପରବର୍ତ୍ତୀ ସମୟରେ ଟଙ୍କାର ପରିମାଣ କମାଇ ୮,୦୦୦ କରିଥିଲେ ।
ଅନ୍ୟ କୌଣସି ଉପାୟ ନଥିବାରୁ ଅଭିଯୋଗକାରୀ ଏହି ଘଟଣାର ତଥ୍ୟ ବାଲେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଅଭିଯୋଗକାରୀ ଏଏସ୍ଆଇ ବିଶ୍ୱାଳଙ୍କୁ ଫାଣ୍ଡିରେ ଲାଞ୍ଚର ଟଙ୍କା ଦେବା ବେଳେ ଭିଜିଲାନ୍ସ ଦଳ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛନ୍ତି ।
ଗିରଫକ୍ତି ପରେ ଏଏସ୍ଆଇ ବିଶ୍ୱାଳଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ଏହି ଚଢାଉ କାର୍ଯ୍ୟରେ ବାଲେଶ୍ୱର ଭିଜିଲାନ୍ସ ଡିଏସ୍ପି ନେତୃତ୍ୱ ନେଇଥିଲେ ।