FeaturedLatestNewsPolitics

ସମୟ ଅବଧି ଶେଷ ହେବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ବାତିଲ୍

ଭୁବନେଶ୍ୱର (ସଂକେତ ଟିଭି): ବିଧାନସଭାରେ ସମୟ ଅବଧି ସରିଯିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବ କାଟ ଖାଇଛି। ଗୃହରେ ବାଚସ୍ପତି ଏହି ଘୋଷଣା କରିବା ପରେ କଂଗ୍ରେସ ବିଧାୟକମାନେ ବିରୋଧ ପ୍ରକାଶ କରି ବାଚସ୍ପତିଙ୍କ ଫୋଡିୟମ ତଳେ ନାରାବାଜି କରିଛନ୍ତି।

ସୋମବାର ଅପରାହ୍ନରେ ଗୃହ ସ୍ୱାଭାବିକ ହୋଇଥିବା ବେଳେ, ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡୁମ। ଏଥିରେ ବାଚସ୍ପତି କହିଛନ୍ତି ଯେ ଗତ ୧୮ ତାରିଖରେ ଦିନ ୧୨ଟା ୪୭ ମିନିଟ୍ରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସହିତ ଅନ୍ୟ ୧୪ ଜଣ ବିଧାୟକ ବିଧାନସଭା ସଚିବଙ୍କୁ ଅନାସ୍ଥା ନୋଟିସ୍ ଦେଇଥିଲେ।

ବାଚସ୍ପତି ଆଗକୁ କହିଛନ୍ତି, “ତା’ପର ଦିନ ନୋଟିସ୍କୁ ଗୃହକୁ ଆଣିବାକୁ ମୁଁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ଗୃହ ସ୍ୱାଭାବିକ ନ ଥିବାରୁ ଏହା ଆସିପାରି ନଥିଲା। ସଂସଦୀୟ ନିୟମ ଅନୁସାରେ, ଲଗାତାର ଭାବରେ ବିଧାନସଭାରେ ଅଚଳାବସ୍ଥା ଥିବାରୁ ଅନାସ୍ଥା ପ୍ରସ୍ତାବର ସମୟ ଅବଧି ସରିଯାଇଛି।” ଏହି ଘୋଷଣାକୁ ବିରୋଧ କରି ଅସନ୍ତୁଷ୍ଟ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଛନ୍ତି।

କକ୍ଷ ତ୍ୟାଗ କରିଥିବା କଂଗ୍ରେସ ସଦସ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। କଂଗ୍ରେସ ବିଧାୟକଙ୍କୁ ବୁଝାଇବା ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏବଂ ଉପ ମୁଖ୍ୟ ସଚେତକ ସେଠାଯେ ପହଞ୍ଚିଥିଲେ। ସେମାନେ ଆଲୋଚନା ପରେ କହିଛନ୍ତି ଯେ କୌଣସି ଷଡଯନ୍ତ୍ର କିମ୍ବା ଅଗଣାନ୍ତ୍ରିକ କାର୍ଯ୍ୟ ହୋଇନାହିଁ ଏବଂ ସବୁକିଛି ସଂସଦୀୟ ବିଧି ବ୍ୟବସ୍ଥା ଅନୁସାରେ ହୋଇଛି। ସରକାରୀ ଦଳର ଏହି ପ୍ରତିନିଧିମାନେ କଂଗ୍ରେସ ବିଧାୟକଙ୍କୁ ଗୃହ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।