ଦୁଇ ବର୍ଷ ପରେ ଜେଲରୁ ମୁକ୍ତ ହେଲେ ଆଜମ ଖାନ
ଲକ୍ଷ୍ନୌ (ସଂକେତ ଟିଭି): ବରିଷ୍ଠ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବତନ ମନ୍ତ୍ରୀ ଆଜମ ଖାନ ମଙ୍ଗଳବାର ଦିନ ସୀତାପୁର ଜେଲରୁ ମୁକ୍ତ ହୋଇଛନ୍ତି। ପୁଅ ପାଇଁ ଦୁଇଟି ଜନ୍ମ ପ୍ରମାଣପତ୍ର ତିଆରି କରିବା ମାମଲାରେ ଅକ୍ଟୋବର ୨୦୨୩ରୁ ସେ ଜେଲରେ ଥିଲେ। ପ୍ରାୟ ଦୁଇ ବର୍ଷ ପରେ ତାଙ୍କୁ ଏହି ମୁକ୍ତି ମିଳିଛି।
ତାଙ୍କ ମୁକ୍ତି ପୂର୍ବରୁ ଜେଲ ପ୍ରାଙ୍ଗଣରେ ତାଙ୍କ ପୁଅ ଆଦିବ ଆଜମ ଏବଂ ଅନ୍ୟ ଅନେକ ପ୍ରମୁଖ ଅଧିକାରୀଙ୍କ ସମେତ ପାର୍ଟି କର୍ମୀମାନେ ପହଞ୍ଚିଥିଲେ। ଆଜମ ଖାନ ଜେଲରୁ ଧଳା ରଙ୍ଗର ଗାଡ଼ିରେ ବାହାରକୁ ଆସିଥିଲେ। ଜେଲ ଫାଟକ ନିକଟରେ ଉପସ୍ଥିତ ସାମ୍ବାଦିକମାନେ ତାଙ୍କୁ ନାନା ପ୍ରଶ୍ନ କରିଥିଲେ, ମାତ୍ର ସେ କୌଣସି ଉତ୍ତର ଦେଇନଥିଲେ।
ଆଜମ ଖାନଙ୍କ ମୁକ୍ତିକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ଦେଖାଦେଇଥିଲା। ସମର୍ଥକମାନେ ତାଙ୍କୁ ଫୁଲ ମାଳା ଓ ମିଠାଇ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ମୋରାଦାବାଦ ସାଂସଦ ରୁଚିବୀରା ସିଂ ମଧ୍ୟ ତାଙ୍କୁ ଭେଟିବା ପାଇଁ ସୀତାପୁର ପହଞ୍ଚିଥିଲେ, କିନ୍ତୁ ପୁଲିସ ତାଙ୍କୁ ଅଟକାଇଥିଲା।
ସମାଜବାଦୀ ପାର୍ଟିର ପ୍ରମୁଖ ନେତା ଅଖିଳେଶ ଯାଦବ ଆଜମ ଖାନଙ୍କ ମୁକ୍ତିକୁ ସ୍ୱାଗତ ଜଣାଇଛନ୍ତି। ତାଙ୍କ ଦାବି, ରାଜ୍ୟରେ ତାଙ୍କ ଦଳର ସରକାର ଗଠିତ ହେଲେ ଆଜମ ଖାନଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ।