ଶ୍ରୀମୟୀଙ୍କ ନିଲମ୍ବନ ପ୍ରସଙ୍ଗରେ ପ୍ରମିଳାଙ୍କ ତୀବ୍ର ପ୍ରତିକ୍ରିୟା: “ନିୟମ କଣ ଆମେ ତାଙ୍କଠୁ ଶିଖିବୁ?”
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଶ୍ରୀମୟୀ ମିଶ୍ରଙ୍କ ନିଲମ୍ବନ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଶ୍ରୀମୟୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ବେଳେ, ପ୍ରମିଳା ମଲ୍ଲିକ କହିଛନ୍ତି, “ନିର୍ବାଚନ ବିଷୟରେ ନିୟମ କଣ ଆମେ ତାଙ୍କଠୁ ଶିଖିବୁ? ଏମିତି କେତେ ଆସିବେ କେତେ ଯିବେ । ଯିଏ ବିଶୃଙ୍ଖଳା କରିବ ସେ ବିଦା ହେବ ।”
ପ୍ରମିଳା ମଲ୍ଲିକ ଆହୁରି କହିଛନ୍ତି, “ସିଏ ମାଡାମ କଣ କି? ସେଭଳି ଲୋକ କେତେ ଅଛନ୍ତି ଆମ ଦଳରେ । ଜଣକ ପାଇଁ ଏତେ ଚର୍ଚ୍ଚା କାହିଁକି? ତାଙ୍କୁ କେହି ବ୍ୟବହାର କରିନାହାନ୍ତି, ସିଏ ଦଳକୁ ବ୍ୟବହାର କରିଛନ୍ତି । ସେ କହୁଛନ୍ତି ଦଳରେ ନାହାଁନ୍ତି ତାହେଲେ ଦଳରେ କ୍ଷମତା କେମିତି ଉପଭୋଗ କରୁଥିଲେ । ଦଳ କ୍ଷମତାରୁ ଗଲା ପରେ ତାଙ୍କୁ ଆହୁରି କ୍ଷମତା ଦରକାର ଥିଲା ।” ଶ୍ରୀମୟୀଙ୍କ ପ୍ରତି କୌଣସି ଅନ୍ୟାୟ ହୋଇନାହିଁ ବୋଲି ସେ ଦୃଢ଼ ମତ ରଖିଛନ୍ତି ।
ଅନ୍ୟ ପକ୍ଷରେ, ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟାକୁ ଲକ୍ଷ୍ୟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ । ସେହିପରି, ଦଳର ସଭାପତିଙ୍କ ପାଇଁ ଭୋଟ୍ ଦେବାକୁ ହେଲେ ଦଳର ସଦସ୍ୟମାନଙ୍କର ଏକ ଅନନ୍ୟ ସଦସ୍ୟତା ନମ୍ବର ଥିବା ଉଚିତ୍ । ଯଦି ସେହି ଅନନ୍ୟ ନମ୍ବର ସଦସ୍ୟଙ୍କ ପାଖରେ ନାହିଁ, ତେବେ ଏହାର ଅର୍ଥ ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା । ଏହା ଗଣତନ୍ତ୍ରର ଅପମାନ ।”
ପୃଷ୍ଠଭୂମି: ଗତ କିଛି ସମୟରେ ଧୃତରାଷ୍ଟ୍ର ଓ ଭଣ୍ଡ ସନ୍ନ୍ୟାସୀ ସମ୍ବନ୍ଧୀୟ ଟିପ୍ପଣୀ ଦେବା ଏବଂ ଦଳୀୟ ନୀତି ବିରୁଦ୍ଧରେ ଅନେକ ସୋସିଆଲ ମିଡିଆ ପୋଷ୍ଟ୍ କରିବା ଅଭିଯୋଗରେ ଶ୍ରୀମୟୀ ମିଶ୍ରଙ୍କ ଉପରେ ଦଳ ତରଫରୁ କାର୍ଯ୍ୟଗତି ହୋଇଥିଲା ଏବଂ ଶେଷରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ଘଟଣା ରାଜ୍ୟର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।