FeaturedLatestNews

ଦିଲ୍ଲୀରେ ଜେପି ନଡ୍ଡା ଏବଂ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାଳୀନରେ ଉଭୟ ନେତା ବିଭିନ୍ନ ସାଙ୍ଗଠନିକ ବିଷୟ, ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ନିଜର ‘ଏକ୍ସ’ ସୋସିଆଲ ମିଡିଆ ହ୍ୟାଣ୍ଡଲ୍ ରେ ଏକ ପୋଷ୍ଟ ଦ୍ୱାରା ପ୍ରକାଶ କରିଛନ୍ତି ଯେ, ମାନନୀୟ ନଡ୍ଡାଙ୍କ ଦୃଷ୍ଟିଭଙ୍ଗୀ ଓ ପରାମର୍ଶ ଓଡ଼ିଶା ବିଜେପିକୁ ଆଗାମୀ ଦିନମାନଙ୍କରେ ଅଧିକ ସକ୍ରିୟ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବ।

ଏହି ଦିନ ମୁଖ୍ୟମନ୍ତ୍ରୀ ମାଝୀ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ମଧ୍ୟ ଭେଟିଛନ୍ତି। ଏହି ସାକ୍ଷାତକାଳୀନରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ବିକାଶମୂଳକ କାର୍ଯ୍ୟକଳାପ, ଜନକଲ୍ୟାଣ ଯୋଜନା ଏବଂ ଭବିଷ୍ୟତ କାର୍ଯ୍ୟସୂଚୀ ଉପରେ ଉପରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ‘ଓଡ଼ିଶା ଭିଜନ୍ ୨୦୩୬ ଏବଂ ୨୦୪୭’ ଦସ୍ତାବିଜ୍ ପ୍ରଦାନ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ପ୍ରେରଣା ଓ ମାର୍ଗଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଛନ୍ତି।