FeaturedLatestNewsPolitics

ନୂଆପଡା ଉପନିର୍ବାଚନ : ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ସଂକେତ ଟିଭି): ନୂଆପଡା ବିଧାନ ସଭା ଆସନର ଉପନିର୍ବାଚନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ, ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ଏହି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ନିର୍ବାଚନକୁ ସଫଳ କରିବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା କଡ଼ାକଡ଼ି ଅନୁସରଣ କରିବାକୁ ସେ ସମସ୍ତ ଦଳର ପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି । ଏହି ବର୍ଷର ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବୁଥ୍ରେ ଭୋଟର ସଂଖ୍ୟା ୧୨୦୦ରେ ସୀମିତ ରଖାଯାଇଛି ।

ଏଥିସହ, ଉପନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ବୈଦ୍ୟୁତିକ, ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ, ଓ୍ବେବ୍ ମିଡ଼ିଆ, ସିନେମା ହଲ୍, ରେଡିଓ, ପୋଷ୍ଟର ଓ ହୋର୍ଡିଂ ଆଦି ଜରିଆରେ ବିଜ୍ଞାପନ ଦେବା ପୂର୍ବରୁ ଆୟୋଗଙ୍କ ଅନୁମତି ଆବଶ୍ୟକ ହେବ । ପ୍ରାର୍ଥୀଙ୍କ ଅପରାଧିକ ସମ୍ପୃକ୍ତି ସମ୍ବନ୍ଧିତ ଘୋଷଣାନାମା ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶ କରିବା ଏବଂ ଆୟୋଗଙ୍କୁ ତାହା ଜଣାଇବା ବାଧ୍ୟତାମୂଳକ କରାଯାଇଛି । ବୈଠକରେ ଦଳ ଓ ପ୍ରାର୍ଥୀଙ୍କ ଖର୍ଚ୍ଚର ବିବରଣୀ, ତାରକା ପ୍ରଚାରକଙ୍କ ତାଲିକା ଓ ଆଦର୍ଶ ଆଚରଣ ବିଧି ଅନୁପାଳନ ଆଦି ବିଷୟ ମଧ୍ୟ ଆଲୋଚିତ ହୋଇଥିଲା ।

ଭୋଟର ତଥ୍ୟ: ଏହି ଉପନିର୍ବାଚନରେ ମୋଟ ୨,୫୩,୬୨୪ ଜଣ ଭୋଟର ଚୂଡ଼ାନ୍ତ ଭୋଟର ତାଲିକାରେ ଅଛନ୍ତି । ଏଥିରେ ୧,୨୪,୧୦୮ ଜଣ ପୁରୁଷ, ୧,୨୯,୪୯୫ ଜଣ ମହିଳା ଏବଂ ୨୧ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ତାଲିକାରେ ୯,୪୨୯ ଜଣ ଯୁବ ଭୋଟର, ୩,୯୮୮ ଜଣ ଦିବ୍ୟାଙ୍ଗ ଭୋଟର ଏବଂ ୧,୭୮୬ ଜଣ ବରିଷ୍ଠ ନାଗରିକ ଅଛନ୍ତି । ଏହି ନିର୍ବାଚନ ପାଇଁ ୫୬ଟି ନୂତନ ବୁଥ୍ ପ୍ରତିଷ୍ଠା କରାଯାଇଛି ।

ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ ଓ ଶ୍ରୀ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ଗୋପୀନାଥ କୁଅଁର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଓ ଅନାମିକା ସିଂହ ଆଦି ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।