କଟକ ଗଣ୍ଡଗୋଳ ଘଟଣାକୁ ନେଇ ବିଜେପି ସରକାରକୁ ଟାର୍ଗେଟ କଲେ ମମତା ବାନାର୍ଜୀ
ଭୁବନେଶ୍ୱର (ସଂକେତ ଟିଭି): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକରେ ଭସାଣି ବେଳେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ ଲକ୍ଷ୍ୟ କରି ତୀକ୍ଷ୍ଣ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ କହିଛନ୍ତି, “କଟକ ଆଜି ଜଳୁଛି । କେମିତି ଆକ୍ରମଣ ହେଲା ତାହା ସମସ୍ତେ ଦେଖିଛନ୍ତି । ବିଜେପି ପାର୍ଟି କଟକରେ ସାମ୍ପ୍ରଦାୟିକ ହିଂସା କରାଇଛି । ବଜରଙ୍ଗ ଦଳ ଓ ବିଜେପି ଦେଶକୁ ଶେଷ କରିଦେବେ ।” ସେ ଆହୁରି କହିଛନ୍ତି ଯେ ଏଭଳି ଅହଂକାରୀ ସରକାର ସେ ଆଗେ ଦେଖି ନାହାନ୍ତି ଏବଂ କ୍ଷମତା ସ୍ଥାୟୀ ନୁହେଁ ବୋଲି ସୂଚନା ଦେଇଛନ୍ତି ।
ଏହି ମନ୍ତବ୍ୟର ଜବାବ ଦେଇଛନ୍ତି ଓଡ଼ିଶା ସରକାରର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଶ୍ରୀ ମହାପାତ୍ର ମମତା ବାନାର୍ଜୀଙ୍କୁ ‘କୁହାଳିଆ’ ଆଖ୍ୟା ଦେଇ କହିଛନ୍ତି, “ସେ କ’ଣ କେତେବେଳେ କହନ୍ତି ନିଜେ ଜାଣନ୍ତି ନାହିଁ । କଟକ ବିଷୟରେ ସେ କ’ଣ ଜାଣିଛନ୍ତି? ପଶ୍ଚିମବଙ୍ଗରେ ସେ ନିଜେ ଦଙ୍ଗା ତିଆରି କରୁଛନ୍ତି ।” ସେ ଜୋର ଦେଇ କହିଛନ୍ତି ଯେ ଓଡ଼ିଶା ସରକାର ଅନୀତି ଓ ବେନିୟମକୁ କେବେ ବି ପ୍ରଶ୍ରୟ ଦିଅନ୍ତି ନାହିଁ ଏବଂ ମୁଖ୍ୟମନ୍ତ୍ରୀ ଯିଏ ଦୋଷୀ ସେମାନଙ୍କୁ ଛଡ଼ାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ।
ଅନ୍ୟ ଏକ ପ୍ରତିକ୍ରିୟାରେ ଓଡ଼ିଶାର ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ମମତା ପ୍ରଥମେ ନିଜ କଥା ବୁଝନ୍ତୁ ।” ସେ କହିଛନ୍ତି ଯେ କଟକରେ ଘଟିଥିବା ଏକ ଦୁର୍ଘଟଣା ଥିଲା ଯାହାକୁ ସରକାର ନିୟନ୍ତ୍ରଣକୁ ଆଣିଛନ୍ତି ଏବଂ କଟକ ବର୍ତ୍ତମାନ ପୂର୍ବପରି ଶାନ୍ତ ଅଛି ।
ଶ୍ରୀ ହରିଚନ୍ଦନ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଆଖ୍ୟା ଦେଇ କହିଛନ୍ତି, “ପଶ୍ଚିମବଙ୍ଗରେ ପ୍ରତିଦିନ କଣ ଘଟୁଛି ସେକଥା ମମତା ବାନାର୍ଜୀ ଠିକ ଢଙ୍ଗରେ ଦେଖିଲେ ସେ ଅନୁଭବ କରିବେ ତାଙ୍କର ବିଫଳତା, ଅକ୍ଷମତାର କାରଣ ।” ସେ ଜୋର୍ ଦେଇ କହିଛନ୍ତି ଯେ ଓଡ଼ିଶାବାସୀ ମମତା ବାନାର୍ଜୀଙ୍କଠାରୁ କୌଣସି ଟିପ୍ପଣୀ ଆଶା କରୁନାହାନ୍ତି ଏବଂ ଓଡ଼ିଶାର ଭାଷା ଓ ସଂସ୍କୃତିକୁ ବଦନାମ କରିବାର ପ୍ରୟାସକୁ ତୀବ୍ର ଭାବରେ ନିନ୍ଦା କରିଛନ୍ତି ।
