ପୀତଵାସ ପଣ୍ଡା ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ଗିରଫ
ବ୍ରହ୍ମପୁର (ସଂକେତ ଟିଭି): ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ହାତରେ ଆଉ ଜଣେ ଅଭିଯୁକ୍ତ ସୁନୀଲ ହୋତା ଗିରଫ ହୋଇଛନ୍ତି । ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲଙ୍କ ଫାର୍ମ ହାଉସରେ ପ୍ରାୟ ୪ ଦିନ ଧରି ଲୁଚିରହିଥିଲେ । ଉଭୟେ ଫେରାର ହୋଇଥିବା ବେଳେ, ଜୟପୁରରୁ ତାଙ୍କୁ ଉଠାଇ ଆଣିଥିବା ସୁନୀଲଙ୍କୁ ପୋଲିସ ଗିରଫ କରିଛନ୍ତି ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରିବାର ସମ୍ଭାବନା ରହିଛି ।
ଗତକାଲି ପୋଲିସ ଏହି ହତ୍ୟା ମାମଲାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ସମସ୍ତ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରର ଭିନ୍ନ ଭିନ୍ନ ୱାର୍ଡରେ ରଖାଯାଇଛନ୍ତି । ଏହି ଗିରଫକାର୍ଯ୍ୟ ପରଠାରୁ ମାମଲାର ତଦନ୍ତକୁ ଗତି ଲାଭ କରିଛି ।
ସେହିପରି, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜେଡିର ଗଞ୍ଜାମ ଶାଖା ପକ୍ଷରୁ ଆଜି ଅପରାହ୍ନରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବାର ପ୍ରସ୍ତୁତି ଚାଲିଛି । ଅନ୍ୟ ପକ୍ଷରେ, ବିଜେପି ପକ୍ଷରୁ ଆଜି ଦିନ ୧୧ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବା ନିଶ୍ଚିତ ହୋଇଛି । ଏହି ଘଟଣାକୁ କେନ୍ଦ୍ରବିନ୍ଦୁକରି ରାଜନୈତିକ ପରିବେଶ ଗରମିବାର ସମ୍ଭାବନା ରହିଛି ।
