FeaturedLatestNews

ଜମି ପଞ୍ଜୀକରଣ ହେବ ସହଜ, ୪୪ ତହସିଲରେ ଅନ୍‌ଲାଇନ୍ ସେବା ଆରମ୍ଭ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଜମିଜମା ପଞ୍ଜୀକରଣ ଓ କିଣାବିକା ପ୍ରକ୍ରିୟା ସହଜ ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକସେବା ଭବନରେ ଆଜି ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ (ସବ୍-ରେଜିଷ୍ଟ୍ରେସନ୍) କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପଦକ୍ଷେପ ଫଳରେ ବର୍ତ୍ତମାନ ଘରେ ବସି ଅନ୍‌ଲାଇନ୍‌ରେ ସ୍ଲଟ୍ ବୁକ୍‌ କରି ନିଆଯାଇପାରିବ ଏବଂ ତହସିଲ କାର୍ଯ୍ୟାଳୟରେ ସୀଧାଭାବେ ଜମି କିଣାବିକା କରିହେବ।

ଏହି ନୂତନ ବ୍ୟବସ୍ଥା ପ୍ରଶାସନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଲକ୍ଷ୍ୟରେ ଗ୍ରହଣ କରାଯାଇଛି। ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚିବା ଫଳରେ ରେଜିଷ୍ଟ୍ରେସନ୍‌ କାର୍ଯ୍ୟକଳାପ ବୃଦ୍ଧି ପାଇ ରାଜସ୍ୱ ଆଦାୟରେ ମଧ୍ୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ଏହି ସଂସ୍କାରମୂଳକ ପଦକ୍ଷେପ ଜରିଆରେ ଲୋକଙ୍କ ସରକାର ନିଜର ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରୁଛନ୍ତି ବୋଲି କୁହାଯାଇଛି।

ଆଜି ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ୪୪ଟି ତହସିଲ ସହିତ ଆଉ ବାକି ୫୬ଟି ତହସିଲରେ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ସେବା ଉପଲବ୍ଧ କରାଇବାକୁ ସରକାର ଯୋଜନା କରିଛନ୍ତି। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇସାରିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି, ଯେଉଁଥିରେ ସର୍ବାଧିକ ୧୨ଟି ତହସିଲ ମୟୁରଭଞ୍ଜ ଜିଲ୍ଲାରେ, ୭ଟି କୋରାପୁଟରେ, ୫ଟି ସମ୍ବଲପୁରରେ, ୪ଟି ଢେଙ୍କାନାଳରେ ଏବଂ ୩ଟି ତହସିଲ କନ୍ଧମାଳ ଜିଲ୍ଲାରେ ଖୋଲାଯାଇଛି।