FeaturedLatestNewsPolitics

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ

ନୂଆପଡ଼ା (ସଂକେତ ଟିଭି): ନୂଆପଡ଼ା ନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ ବାକି ରହିଛି । ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ କରୁଛନ୍ତି । ଏହି ପୃଷ୍ଠଭୂମିରେ ବିଜେପି, ବିଜେଡି ଓ କଂଗ୍ରେସ ପରି ଦଳଗୁଡ଼ିକ ଭୋଟ୍ ହାତେଇବା ପାଇଁ ନେତାଙ୍କୁ ମଇଦାନକୁ ଓହ୍ଲାଇବାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ଇସ୍ତାହାରର ଉନ୍ମୋଚନ କରିଛନ୍ତି । ଖୁଣ୍ଟିଆ ଭବନରେ ଅନୁଷ୍ଠିତ ଏହି ସମାବେଶକୁ ସାଂସଦ ସପ୍ତଗୀରି ଉଲ୍ଳାକା, ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିକାଶ ତଥା ବର୍ଷବର୍ଷ ଧରି ପ୍ରତାରିତ ହେଉଥିବା ବାସିନ୍ଦାଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସର ସବିଶେଷ ଘୋଷଣାପତ୍ର ଉନ୍ମୋଚିତ ହୋଇଛି ।

ଇସ୍ତାହାରରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟର ଶାସକ ଓ ମୁଖ୍ୟ ବିରୋଧୀ ଦଳ ଦ୍ଵାରା ନୂଆପଡ଼ା ଜିଲ୍ଲାକୁ ସବୁବେଳେ ଉପେକ୍ଷା କରାଯାଇଛି ଏବଂ ଲୋକଙ୍କ ସାଧାରଣ ଆବଶ୍ୟକତା ମଧ୍ୟ ପୂରଣ କରାଯାଇ ନାହିଁ । ଏହି ସମସ୍ତ ଅସୁବିଧା ଦୂର କରିବା ପାଇଁ କଂଗ୍ରେସ ପ୍ରତିବଦ୍ଧ ବୋଲି ଘୋଷଣା କରାଯାଇଛି । ପ୍ରତାରଣାରୁ ମୁକ୍ତି ପାଇବା ସହ ବିକାଶ ଓ ନ୍ୟାୟ ପଥରେ ଆଗେଇବା ପାଇଁ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବିଜୟୀ କରାଇବା ପାଇଁ ଅନୁରୋଧ କରାଯାଇଛି ।

କଂଗ୍ରେସର ଏହି ଇସ୍ତାହାରରେ ଜିଲ୍ଲାପାଇଁ ବିଭିନ୍ନ ପ୍ରତିଶ୍ରୁତି ସ୍ଥାନ ପାଇଛି । କୃଷିର ଉନ୍ନତି, ଦାଦନ ପ୍ରଥା ରୋକିବା ଏବଂ ରୋଜଗାର ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ଜିଲ୍ଲାର ୬୦ ପ୍ରତିଶତ ଜମିକୁ ଜଳସେଚନର ଅଧୀନକୁ ଆଣିବା, ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଜମି ଅଧିକାର ଦେବା, ସମସ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ କରିବା, ହସ୍ପିଟାଲଗୁଡ଼ିକରେ ଡାକ୍ତର ନିଯୁକ୍ତି କରିବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଳମ୍ବୀ କରିବା ଇସ୍ତାହାରର ମୁଖ୍ୟ ଅଙ୍ଗ ଅଟେ ।

ଇସ୍ତାହାର ଅନୁଯାୟୀ, ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ୍ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ସୁବିଧା ବ୍ୟାପକତର କରାଯିବ । ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେବା ଫଳରେ ଆଦିବାସୀଙ୍କୁ ଜମି ପଟ୍ଟା ମିଳିବ । ଏଥିସହ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଚିକିତ୍ସାଳୟଗୁଡ଼ିକରେ ଡାକ୍ତରଙ୍କ ପଦବୀ ପୂରଣ ଓ ମହିଳା ସହାୟକ ଗୋଷ୍ଠୀଙ୍କ ସ୍ଥିତି ଉନ୍ନତି ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ ।