CulturalFeaturedLatestNews

ସୁଶୀଲ ମେହେର ହେବେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ

ବରଗଡ଼ (ସଂକେତ ଟିଭି): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଚରିତ୍ର ପାଇଁ ଚୟନ ହୋଇଛି ବରଗଡ଼ ଜିଲ୍ଲାର ଚିଚିଣ୍ଡା ଗାଁର ସୁଶୀଲ ମେହେର। ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଚୟନ ପ୍ରକ୍ରିୟାରେ ୩୬ ଜଣ କଳାକାରଙ୍କୁ ପଛରେ ପକାଇ ସୁଶୀଲ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ମନୋନୀତ ହୋଇଛନ୍ତି। ଆଗାମୀ ତିନି ବର୍ଷ ଧରି ସୁଶୀଲ ଧନୁଯାତ୍ରାରେ କଂସଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାଯାଇଛି।

ଆସନ୍ତା ୨୪ ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୬ର ୩ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ଏହି ୧୧ ଦିନୀୟ ମହୋତ୍ସବ। ଏହାକୁ ଲକ୍ଷ୍ୟ ରଖି ପ୍ରମୁଖ ଚରିତ୍ରଗୁଡ଼ିକର କଳାକାର ଚୟନ କାର୍ଯ୍ୟ ପୂର୍ବରୁ ଶେଷ ହୋଇଛି। କଂସଙ୍କ ଚୟନ ପ୍ରକ୍ରିୟାରେ ହୃଷୀକେଶ ଭୋଇ ଓ ଆର୍ତ୍ତତ୍ରାଣ ସୁନାନିଙ୍କ ଭଳି ଅନ୍ୟ ଆବେଦନକାରୀମାନେ ଯଥାକ୍ରମେ କେସ୍ ଚାଲୁଥିବା ଓ ବୟସ ସୀମା ଅତିକ୍ରମ କରିଥିବାରୁ ବାଦ୍ ପଡ଼ିଥିଲେ।

ସୁଶୀଲଙ୍କ ସହିତ ଅନ୍ୟ ପ୍ରମୁଖ ଚରିତ୍ରଗୁଡ଼ିକ ପାଇଁ ମଧ୍ୟ କଳାକାର ଚୟନ ହୋଇସାରିଛି। ଏଥିରେ ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି ଏବଂ ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନିତ ହୋଇଛନ୍ତି।

ଧନୁଯାତ୍ରା ମହୋତ୍ସବ ସମିତିର ଉପସଭାପତି ଓ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଚୟନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହି ସବିଶେଷ ଚୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ବୈଠକରେ ବିଧାୟକମାନଙ୍କ ସହିତ ମହୋତ୍ସବକୁ ଆକର୍ଷଣୀୟ କରିବା, ଦର୍ଶକଙ୍କ ସୁରକ୍ଷା ଓ ବ୍ୟବସ୍ଥା ଆଦି ବିଷୟଗୁଡ଼ିକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବର୍ଷକୁ ବର୍ଷ ବିଶ୍ୱଦରବାରରେ ପ୍ରଶଂସିତ ହେଉଥିବା ଏହି ମହୋତ୍ସବକୁ ଆହୁରି ସଫଳ କରିବା ଲକ୍ଷ୍ୟରେ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି।