ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ, ୯୬% ଅଭିଯୋଗର ସମାଧାନ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ୧୫ତମ ପାଳି ଅନୁଷ୍ଠିତ ହୋଇଛି। କେନ୍ଦୁଝରରୁ ସିଧାସଳଖ ଆସି ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୮ ଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ସବୁଥର ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିବା ୩୪ ଜଣ ଭିନ୍ନକ୍ଷମ ଓ ଦୁରାରୋଗ୍ୟରେ ପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ପ୍ରକୋଷ୍ଠ ଭିତରେ ପଞ୍ଜୀକୃତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା, ସୁଯୋଗ ଓ ସହାୟତା ପ୍ରଦାନ କରିବା ପାଇଁ ସରକାର ବଦ୍ଧପରିକର। ସ୍ଥାନୀୟ ସ୍ତରରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ମଧ୍ୟ ନିୟମିତ ଭାବେ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରାଯାଉଛି। ଅଧିକାଂଶ ସମସ୍ୟା ଯେପରି ସ୍ଥାନୀୟ ପ୍ରଶାସନ ଦ୍ୱାରା ସମାଧାନ ହୋଇପାରେ, ସେଥିପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫଳସ୍ୱରୂପ, ଲୋକଙ୍କୁ ସେମାନଙ୍କର ସମସ୍ୟା ନେଇ ଭୁବନେଶ୍ୱର ଆସିବାକୁ ପଡ଼ିବ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଯୋଗୁଁ ବହୁଦିନର ସମସ୍ୟାର ସମାଧାନ ହୋଇଥିବାରୁ ଜଣେ ମହିଳା ହିତାଧିକାରୀ ସ୍ୱତନ୍ତ୍ର ଭାବେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗତ ୧୪ ଟି ପାଳିରେ ଆସିଥିବା ୧୨,୯୫୦ ଟି ଅଭିଯୋଗ ମଧ୍ୟରୁ ୧୨,୩୭୧ ଟି ଅଭିଯୋଗର ସମାଧାନ କରାଯାଇସାରିଛି, ଯାହାର ହାର ହେଉଛି ୯୬%। ବାକି ଥିବା ୫୭୯ ଟି ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି।
ଶୁଣାଣି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଶ୍ରମ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।
ଏଥି ସହିତ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଓ ଅନ୍ୟ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
