BusinessFeaturedLatestNews

ସମୃଦ୍ଧ ଓଡ଼ିଶା ୨୦୩୬ ଉଦଘାଟିତ: ୫୦୦ ବିଲିୟନ ଅର୍ଥନୀତିର ଲକ୍ଷ୍ୟ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ସରକାର ଏବଂ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ଼ ଆନୁକୂଲ୍ୟରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ଶିଳ୍ପ ବିଭାଗର ଭିଜନ ଉପରେ ଦୁଇ ଦିନ ଧରି ମାନସ ମନ୍ଥନ ହେବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଆଗାମୀ ୧୦ ବର୍ଷ ଓଡ଼ିଶା ପାଇଁ ‘ଡ୍ରିମ୍ ଡିକେଡ’ ହେବ । ସେ କହିଛନ୍ତି, “ଗତ ୮୦ ବର୍ଷ ଓଡ଼ିଶାର ‘ଲସ୍ ଡିକେଡ’ ଥିଲା, କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି ଏବଂ ଏହା ରାଜ୍ୟର ଦିଶା ଓ ଦଶା ପରିବର୍ତ୍ତନ କରିବ ।” ରାଜ୍ୟର ବର୍ତ୍ତମାନ ୧୨୦ ବିଲିୟନ ଡଲାରର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପୂରଣ ପାଇଁ ସରକାର ଏଯାଏଁ ୫ ଲକ୍ଷ ୬୦ ହଜାର କୋଟି ଟଙ୍କାର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି, ଯାହାଦ୍ୱାରା ୩ ଲକ୍ଷ ୬୦ ହଜାର ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଏଥିରୁ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇସରିଛି ।

ମାଝୀ ଆହୁରି କହିଛନ୍ତି ଯେ ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟଠାରୁ ଆଗରେ ଅଛି ଏବଂ ରାଜ୍ୟକୁ ଏକ ‘ହ୍ୟୁମାନ କ୍ୟାପିଟାଲ’ ଭାବରେ ଗଠନ କରାଯିବ । ଏହି ଲକ୍ଷ୍ୟ ସାଧନ ପାଇଁ ସିଙ୍ଗାପୁର ସହିତ ଦକ୍ଷତା ବୃଦ୍ଧି ଚୁକ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାରଙ୍କୁ ପ୍ରତ୍ୟକ୍ଷ ଆକ୍ଷେପ କରି କହିଛନ୍ତି, “ସ୍ଥିର ସରକାର ଥାଇ ଓଡ଼ିଶାକୁ ଶିଳ୍ପରେ ଆଗକୁ ନେଇପାରିନଥିବା ଓଡ଼ିଶାକୁ ଏକ ଧୋକା ଥିଲା । ପୂର୍ବର ୨୪ ବର୍ଷ ସ୍ଥିର ସରକାର ଥିଲା, ଶିଳ୍ପ ବିପ୍ଳବ କରିପାରିଥାନ୍ତେ, କିନ୍ତୁ ତାହା ଦୂରଦୃଷ୍ଟି ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରେ ହୋଇପାରିନାହିଁ ।” ସେ ଆଗକୁ କହିଛନ୍ତି ଯେ ବର୍ତ୍ତମାନର ସରକାର ମାତ୍ର ୧୭ ମାସର ଶାସନ କାଳ ଭିତରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ବୁଝାମଣା ପତ୍ର କରିଛନ୍ତି, ଯାହା ଏକ ବଡ଼ ଉପଲବ୍ଧି । ତାଙ୍କ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟରେ ସୀମିତ ନ ରହି ବାସ୍ତବ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଉଛନ୍ତି ବୋଲି ସେ ଦର୍ଶାଇଛନ୍ତି । ରିୟଲ ଟାଇମରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ରାଜ୍ୟର ୩୦ଟି ଜିଲ୍ଲାର ୬୪ଟି ସ୍ଥାନରେ ଶିଳ୍ପ ସ୍ଥାପନ ହେବ । ଏବେ ଯାଏଁ ୧୪ଟି ଜିଲ୍ଲାରେ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟ ସମାପ୍ତ ହୋଇସରିଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।