ସାଂସଦ, ବିଧାୟକ ସୁପାରିଶ ଆଧାରରେ ଶିକ୍ଷକ ବଦଳି ମାମଲା ଖାରଜ କଲେ ହାଇକୋର୍ଟ
ଭୁବନେଶ୍ବର (ସଂକେତ ଟିଭି): ଓଡିଶା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ଏକ ବଡ଼ ଝଟକା ଦେଇ ସାଂସଦ ଓ ବିଧାୟକଙ୍କ ସୁପାରିଶ ଆଧାରରେ ୧୫ ଜଣ ଶିକ୍ଷକଙ୍କ ବଦଳି ସମ୍ବନ୍ଧୀୟ ବିଜ୍ଞପ୍ତିକୁ ଖାରଜ କରିଛନ୍ତି । ଏହି ରାୟରେ କୋର୍ଟ କହିଛନ୍ତି ଯେ ଶିକ୍ଷକଙ୍କ ବଦଳିରେ ରାଜନୈତିକ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ଏବଂ ଶିକ୍ଷା ବ୍ୟବସ୍ଥାକୁ ରାଜନୀତିର ପ୍ରଭାବରୁ ମୁକ୍ତ ରଖିବା ଆବଶ୍ୟକ ।
ମୂଳ ମାମଲାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ସୁପାରିଶକ୍ରମେ ହୋଇଥିବା ଶିକ୍ଷକ ବଦଳିକୁ ଚ୍ୟାଲେଞ୍ଜ କରି କେତେକ ଶିକ୍ଷକ-ଶିକ୍ଷୟିତ୍ରୀ ହାଇକୋର୍ଟରେ ଯୋଚା ମାମଲା ଦାଖଲ କରିଥିଲେ । ଏହି ବଦଳି ବିଭାଗୀୟ ଗାଇଡଲାଇନ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି କରାଯାଇଥିବା ଦର୍ଶାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଥିଲେ ଏବଂ ବଦଳି ଆଦେଶ ଉପରେ ଅସ୍ଥାୟୀ ଭାବରେ ରୋକ ଲଗାଇଥିଲେ ।
ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବଂଚ ଏହି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଆଜି ଚୂଡାନ୍ତ ରାୟ ଶୁଣାଇଛନ୍ତି । ରାୟରେ ସ୍ପଷ୍ଟ କରାଯାଇଛି ଯେ ଶିକ୍ଷା ଏକ ମର୍ଯ୍ୟାଦାପୂର୍ଣ୍ଣ ପେଶା ଏବଂ ଏଥିରେ ରାଜନୈତିକ ହସ୍ତକ୍ଷେପ ସମୁଚିତ ନୁହେଁ । କୋର୍ଟ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅବৈଧ ଘୋଷଣା କରି ଖାରଜ କରିଛନ୍ତି ଏବଂ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ବଦଳି ଆଦେଶ ଅନୁଯାୟୀ ନୂତନ ସ୍ଥାନରେ ଯୋଗଦେଇଥିବା ଶିକ୍ଷକମାନେ ଚାଲିତ ଶିକ୍ଷା ବର୍ଷ ଶେଷ ପର୍ଯ୍ୟନ୍ତ ନିଜ ପୂର୍ବତନ କାର୍ଯ୍ୟସ୍ଥଳୀରେ କାର୍ଯ୍ୟ ଜାରି ରଖିବେ ।
ବିଜେଡି ବିଧାୟକ ଅରୁଣ ସାହୁ ଏହି ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, “ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ଏକ ଭୁଲ ଥିଲା ଯାହାକୁ ଆମେ ଆରମ୍ଭରୁ ବିରୋଧ କରିଆସିଛୁ । ଏହି ନୀତି ଯୋଗୁଁ ଶହ ଶହ ଶିକ୍ଷକ ବିଧାୟକ ଓ ସାଂସଦଙ୍କ ପାଖକୁ ବଦଳି ପାଇଁ ଚାପ ଦେଉଥିଲେ ଏବଂ ଅର୍ଥ କାରବାର ସହିତ ଅନେକ ଘୋଟାଲା ଘଟିଥିଲା । ହାଇକୋର୍ଟଙ୍କ ରାୟ ଯଥାର୍ଥ ଏବଂ ସରକାରଙ୍କୁ ଏଭଳି ଭୁଲ ନିଷ୍ପତ୍ତିରୁ ବିରତ ରହିବା ଉଚିତ୍ ।”
ଅପରପକ୍ଷରେ, ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଏହାକୁ ଏକ ସାଧାରଣ ନୋଟିସ ବୋଲି ଦାବି କରିଛନ୍ତି । ସେମାନେ କହିଛନ୍ତି, “ବିରୋଧୀ ଦଳ ଅନେକ କହିବେ, କିନ୍ତୁ ବିଜେଡି ସରକାରଙ୍କ ସମୟରେ ମଧ୍ୟ ଏଭଳି ଘଟଣା ଘଟିଥିଲା । ଏହା ଏକ ନ୍ୟାୟିକ ପ୍ରକ୍ରିୟା, ସରକାର ନିଜ ପକ୍ଷ ରଖିବେ ଏବଂ ଚୂଡାନ୍ତ ନିଷ୍ପତ୍ତି ହେବ । କୋର୍ଟଙ୍କ ନିର୍ଦ୍ଦେଶ ଉପରେ ମୋର କୌଣସି ଟିପ୍ପଣୀ ନାହିଁ ।”
