ଡିସେମ୍ବର ୧୨ରୁ ବାଲେଶ୍ୱର ଉତ୍ସବ-୨୦୨୫
ବାଲେଶ୍ବର (ସଂକେତ ଟିଭି): ଆସନ୍ତା ଡିସେମ୍ବର ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ବାଲେଶ୍ୱର ଉତ୍ସବ-୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ୱାଓ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାର୫୬ ତମ ବାର୍ଷିକୀ ଉତ୍ସବ ରୂପେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ପୁରୁଣା ଷ୍ଟାଡିୟମ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବକୁ ଧୂମଧାମରେ ପାଳନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ଏହି ମେଳାରେ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ଦୋଳି, ଗୃହ ଉପକରଣ ଦୋକାନ, ପୋଷାକ ପରିପାଟୀ ଏବଂ ରାଜ୍ୟସ୍ତରୀୟ ଚର୍ଚ୍ଚିତ ସୁଆଦିଆ ଖାଦ୍ୟ ଦୋକାନର ବେଶ ଭିଡ଼ ଲାଗିବ। ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶାର ସୁନାମାଧନ୍ୟ କଣ୍ଠଶିଳ୍ପୀ, ଅଭିନେତା ଏବଂ ରାଜ୍ୟବାହାରେ କଲିକତାର କଳାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜ କଳା ପ୍ରଦର୍ଶନ କରିବେ। କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର, ସ୍ମିତା ପଣ୍ଡା, ସଚିନ ରାଉତ, ଜେମ୍ସ, ତୁଷାର, ଆଙ୍କର କମଲ ଏବଂ ରକ ବ୍ୟାଣ୍ଡ ସହିତ RDX ଡ୍ୟାନ୍ସ ଗ୍ରୁପ୍ ପ୍ରମୁଖ ଆକର୍ଷଣ ହେବେ ବୋଲି ସୂଚନା ଦିଆଯାଇଛି।
ଏହି ଅବସରରେ ଅନେକ ପ୍ରତିଭାଙ୍କୁ ସମ୍ମାନିତ କରାଯିବାର ଯୋଜନା ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ସାଂସ୍କୃତିକ ଓ ମନୋରଞ୍ଜନର ଅବସର ଆଣିଦେବ ବୋଲି ଆଶା କରାଯାଉଛି। ଦୀର୍ଘ ଆଠ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହେବ ବୋଲି ଅନୁମାନ କରାଯାଉଛି। ଏହି ସବୁକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଅନୁଷ୍ଠାନ ତରଫରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଅନୁରୋଧ କରାଯାଇଛି।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଆବାହକ ନାରାୟଣ ଚନ୍ଦ୍ର ପ୍ରଧାନ, ସଭାପତି ଆଶିଷ ପାତ୍ର, ମୁଖ୍ୟ ଉପଦେଷ୍ଟା ଆଲୋକ ସାହୁ, ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତ କର, ପେଟ୍ରନ ଭାଗବତ ସାହୁ, ଅଭ୍ୟର୍ଥନା କମିଟି ଅଧକ୍ଷ ଚିତ୍ତରଞ୍ଜନ ପଣ୍ଡା, ସାଂସ୍କୃତିକ ସମ୍ପାଦକ ଦୀପକ ମିଶ୍ର ସହିତ ଅନୁଷ୍ଠାନର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ।
