BusinessFeaturedLatestNews

ଅତିରିକ୍ତ ବଜେଟ୍ ରାଜ୍ୟକୁ ନିଅଣ୍ଟ ଆଡ଼କୁ ଠେଲୁଛି: ନବୀନ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୫-୨୬ ଅର୍ଥବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଏକ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ତେବେ, ଏହି ଅତିରିକ୍ତ ବଜେଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା ମିଳିଛି। ତାଙ୍କ ମତରେ, ବିଜେପି ସରକାର ଉପସ୍ଥାପିତ କରିଥିବା ଏହି ବଜେଟ୍ ଓଡ଼ିଶାବାସୀଙ୍କ ଆଶା-ଆକାଂକ୍ଷାକୁ ଧୂଳିସାତ୍ କରୁଛି। ସେ ଦାବୀ କରିଛନ୍ତି ଯେ ନୂତନ ବିଜେପି ସରକାରର ପ୍ରଥମ ପୂର୍ଣ୍ଣ ବର୍ଷରେ ଆଶା କରାଯାଉଥିବା କୌଣସି ବଡ଼ ଭିତ୍ତିଭୂମି ଯୋଜନା କିମ୍ବା ନୂଆ ଦୂରଦୃଷ୍ଟି ଏଥିରେ ପରିଲକ୍ଷିତ ହେଉନାହିଁ।

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବଜେଟ୍ ରାଜ୍ୟକୁ ରାଜକୋଷୀୟ ନିଅଣ୍ଟ ଆଡ଼କୁ ଠେଲିଦେଉଛି, ପ୍ରଶାସନିକ ବ୍ୟୟ ସଙ୍କୁଚିତ ହେଉଛି ଏବଂ ରାଜ୍ୟର ସୁଧ ବୋଝ ବଢ଼ୁଛି। ତାଙ୍କ ମତାବଳମ୍ବୀରେ, ହ୍ରାସପ୍ରାପ୍ତ କେନ୍ଦ୍ରୀୟ ଅନୁଦାନ ଏବଂ ସରକାରର ନିଜସ୍ୱ ଅପାରଗତାକୁ ଲୁଚାଇବା ପାଇଁ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି। ଏହା ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ନହୋଇ, ସେମାନଙ୍କୁ ଭ୍ରମିତ କରିବାର ଏକ ପ୍ରୟାସ ବୋଲି ସେ ମତ ରଖିଛନ୍ତି।

ଏହି ବଜେଟରେ ପ୍ରଶାସନିକ ଖର୍ଚ୍ଚ ପାଇଁ ୩୩୮୯ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୧୭୧ କୋଟି ଏବଂ ସାମାଜିକ ସେବା ପାଇଁ ୫୯୪୮ କୋଟି ଟଙ୍କା ନିର୍ଦ୍ଦିଷ୍ଟ କରାଯାଇଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଥିବା ଅନୁଦାନର ବିବରଣୀ ଦିଆଯାଇଛି। ଏଥିରେ ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି, ମମତା ଯୋଜନା ପାଇଁ ୧୪୨ କୋଟି, ମିଶନ ଶକ୍ତି ପାଇଁ ୪୦୫ କୋଟି ଏବଂ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ୨୦୦ କୋଟି ଟଙ୍କା ରଖାଯାଇଛି। ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ଯୋଜନା ଯେପରିକି ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୫୪ କୋଟି, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି, ପାଇପ ଜଳ ଯୋଗାଣ ପାଇଁ ୧୧୬ କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ୫୭ କୋଟି ଏବଂ ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱରାଜ ଅଭିଯାନ ପାଇଁ ୪୦ କୋଟି ଟଙ୍କା ଅନୁଦାନ ରହିଛି।