FeaturedLatestNews

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ୭ ଦଫା ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ସେମାନଙ୍କର ୭ ଦଫା ଦାବି ପୂରଣ ନହେବା ଯାଏଁ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ମହାସଙ୍ଘ ପକ୍ଷରୁ ଘୋଷଣା କରାଯାଇଛି।

ଗତ ମାସେ ମହାସଂଘ ସରକାରଙ୍କ ଆଗରେ ସେମାନଙ୍କ ଦାବିସମୂହ ଉପସ୍ଥାପନ କରିଥିଲେ। ମାତ୍ର, ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟକାରୀ ପଦକ୍ଷେପ ନହେତୁ ଡ୍ରାଇଭରମାନେ ଆନ୍ଦୋଳନକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆନ୍ଦୋଳନକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ଟ୍ରକ୍ ମାଲିକ ସଂଘ ସମର୍ଥନ ଜଣାଇଛନ୍ତି, ଯାହାଫଳରେ ରାଜ୍ୟବ୍ୟାପୀ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି ।

ମୁଖ୍ୟ ଦାବିସମୂହ:
ଡ୍ରାଇଭର ଉନ୍ନୟନ ବୋର୍ଡରେ ଅଟୋ ଚାଳକଙ୍କ ସାମିଲକରଣ

ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ

୬୦ ବର୍ଷ ବୟସ ପରେ ସ୍ୱତନ୍ତ୍ର ଭତ୍ତା

ଗାଡ଼ି ପାର୍କିଂ ଏବଂ ଡ୍ରାଇଭରଙ୍କ ବିଶ୍ରାମଗୃହ ନିର୍ମାଣ

ଖଣି ଏବଂ କାରଖାନାଗୁଡ଼ିକରେ ୭୦% ଓଡ଼ିଆ ଡ୍ରାଇଭର ନିଯୁକ୍ତି

ସେପ୍ଟେମ୍ବର ୧କୁ ଡ୍ରାଇଭର ଦିବସ ଘୋଷଣା

ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ସରକାର ଡ୍ରାଇଭରମାନଙ୍କ ଦାବି ଉପରେ ଆଲୋଚନା କରିବେ। ସେ କହିଛନ୍ତି, “ଆମେ ମହାସଂଘ ସହିତ ମଙ୍ଗଳବାର ପୁନର୍ବାର ବୈଠକ କରିବୁ। ଆଲୋଚନା ମାଧ୍ୟମରେ ସମାଧାନ ବାହାରିବ।”

ଏହାପୂର୍ବରୁ ପରିବହନ କମିସନର ଅମିତାଭ ଠାକୁର ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମହାସଙ୍ଘ ପକ୍ଷରୁ କୁହାଯାଇଛି ଯେ ଯଦି ସରକାର ଦ୍ରୁତ କାର୍ଯ୍ୟକାରୀ ପଦକ୍ଷେପ ନିଅନ୍ତି, ତେବେ ଆନ୍ଦୋଳନ ସ୍ଥଗିତ କରାଯାଇପାରିବ।