EducationFeaturedLatestNews

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ (ସଂକେତ ଟିଭି): ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ କହିଛନ୍ତି ଯେ, ରେଭେନ୍ସା ଭାରତ ଏବଂ ଓଡ଼ିଶା ଇତିହାସର ସକ୍ରିୟ ଅଂଶୀଦାର । ତେଣୁ ଏହାର ଗାରିମା ବଜାୟ ରଖିବାରେ ପ୍ରତ୍ୟେକ ରେଭେନ୍ସାଭିଆନଙ୍କର ଦାୟିତ୍ୱ ରହିଛି । ଭାରତୀୟ ମୂଲ୍ୟବୋଧକୁ ଜୀବନର ଦୀକ୍ଷା ଭାବେ ଗ୍ରହଣ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ, ପାଠ କେବଳ ଜୀବନ ବିତାଇବାର ମାଧ୍ୟମ ନୁହେଁ, ବରଂ ମଣିଷଟିଏ ହୋଇ ସତ୍ୟ ପ୍ରତି ନିଷ୍ଠାବାନ ହେବା ଜରୁରୀ । ଶୁଭାଂଶୁ ଶୁକ୍ଳାଙ୍କ ଉଦାହରଣ ଦେଇ ସେ କହିଛନ୍ତି, “ଶୁଭାଂଶୁ ଆମ ଦେଶ ପାଇଁ ଗୌରବ ଆଣିଛନ୍ତି । ଆଶା କରୁଛି, ରେଭେନ୍ସାର ଭବିଷ୍ୟତ ଛାତ୍ରଛାତ୍ରୀମାନେ ମଧ୍ୟ ଏହିଭଳି କୃତିତ୍ୱ ଦେଖାଇବେ ।” ସେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ଚାକିରି ଖୋଜିବା ପରିବର୍ତ୍ତେ ଚାକିରି ସୃଷ୍ଟିକାରୀ ହେବାକୁ ଉତ୍ସାହିତ କରିଛନ୍ତି, ଯାହା ଦ୍ୱାରା ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ।

ବର୍ଷ ୨୦୨୩/୨୪ ଏବଂ ୨୫ ପାଇଁ ଏହି ସମାବର୍ତ୍ତନ ଉତ୍ସବ ପାଳିତ ହୋଇଛି । ରେଭେନ୍ସାର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦାନ ଏହା ପ୍ରଥମ ଥର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ରେଭେନ୍ସା ଜାତୀୟ ମୁକ୍ତି ଆନ୍ଦୋଳନର ଅନ୍ତୁଡ଼ିଶାଳ ଥିଲା । ଆଜିର ଯୁଗରେ ଏହା AI ଏବଂ ଟେକ୍ନୋଲୋଜିର ପ୍ରୟୋଗଶାଳା ହେବା ଉଚିତ ।”

ଏଥର ୩୨୯ ଜଣ ପ୍ରତିଭାବାନ୍ଙ୍କୁ ବିଭିନ୍ନ ସମ୍ମାନ ଦିଆଯାଇଛି । ସେଥିରେ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଡକ୍ଟରେଟ୍ ଉପାଧି ମଧ୍ୟ ପ୍ରଦାନ କରାଯାଇଛି: ସେମାନେ ହେଲେ ମହାକାଶ ଗବେଷକ ଡଃ ଅଜିତ କୁମାର ମହାନ୍ତି,
ସାଂସଦ ଡଃ ଭର୍ତ୍ତୃହରି ମହତାବ, , ପଦ୍ମଶ୍ରୀ ସାବରମତୀ ଓ ଦୃଷ୍ଟିହୀନ ସାମାଜିକ କର୍ମୀ ଡଃ ବିଜୟ କୁମାର ରଥ । ଏହି କାର୍ଯ୍ୟକ୍ରମରେ କୁଳପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ ।