FeaturedLatestNewsPolitics

ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ଵର (ସଂକେତ ଟିଭି): ବାଲେଶ୍ଵରର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କଂଗ୍ରେସ, ବାମପନ୍ଥୀ ଦଳ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆଜି ସମସ୍ତ ସହରରେ ଲୋକେ କ୍ୟାଣ୍ଡଲ୍ ଲାଇଟ୍ ଜାଳି ଆମ ଛାତ୍ରୀର ଆତ୍ମାର ସଦ୍ଗତି କାମନା କରିବେ। ଏହି ବିରୋଧ ଆନ୍ଦୋଳନରେ ବାମପନ୍ଥୀ ଦଳ ଏବଂ ଏନସିପି ସାମିଲ ହୋଇଛନ୍ତି। ୮ଟି ରାଜନୈତିକ ଦଳ ଏକତ୍ରିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି।”

ଦାସ ଆହୁରି କହିଛନ୍ତି, “ଏବିଭିପିର ଝିଅ (ଛାତ୍ରୀ) ପେଟ୍ରୋଲ ଆଣିଥିଲା, ସମସ୍ତେ ଦେଖିଥିଲେ, କିନ୍ତୁ କେହି ପ୍ରତିବାଦ କରିନଥିଲେ। ବିଜେପି ସରକାର କାହାରି କଥା ଶୁଣୁନାହାନ୍ତି। ଏହି ସରକାର ନୈତିକ ଦୃଷ୍ଟିରୁ ଇସ୍ତଫା ଦେଇ ଶାସନ ଛାଡ଼ିବା ଉଚିତ୍। ଆମେ ଏହାକୁ ଜୋରଦାର ଭାବରେ ବିରୋଧ କରିବୁ।”

ଏହି ବନ୍ଦ ଦିନରେ ସ୍କୁଲ୍, କଲେଜ, ଦୋକାନ ଏବଂ ବଜାର ସବୁ ବନ୍ଦ ରହିବ ବୋଲି ବିରୋଧୀ ଦଳଗୁଡ଼ିକ ଘୋଷଣା କରିଛନ୍ତି। ଛାତ୍ରୀ ମୃତ୍ୟୁରେ ନ୍ୟାୟ ଦାବି କରି ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ ଆୟୋଜନ କରାଯାଇଛି।