FeaturedLatestNewsPolitics

ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ୮ ଘଣ୍ଟା ବାଲେଶ୍ୱର ବନ୍ଦ କଲା ବିଜେଡି

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ୮ ଘଣ୍ଟା ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ସଫଳତାର ସହିତ ପାଳନ କରାଯାଇଛି। ଷ୍ଟେସନ ବଜାର ଏବଂ ଫକୀର ମୋହନ ଗୋଲେଇ ଛକରେ ଦଳ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବୁଧବାରରେ ବନ୍ଦ ପାଳନ ହେତୁ ଦୋକାନପାଟ, ସରକାରୀ କାର୍ୟାଳୟ, ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଥିଲା। କେବଳ ଜରୁରୀ ସେବା ସହିତ ଜଡିତ ଅନୁଷ୍ଠାନଗୁଡିକ ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକଳାପ ବନ୍ଦ ରହିଥିଲା। ସକାଳ ୬ଟାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବା ସହ ଚକକାଠ ବନ୍ଦ କରାଯାଇଥିଲା। ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ମଧ୍ୟ ବନ୍ଦ ରହିଥିଲା।

ବିଜେଡି ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟରେ ଅବହେଳା ଏବଂ ସରକାରୀ ସ୍ତରରେ ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହେବାର ଅଭିଯୋଗ କରାଯାଇଛି। ଦଳ ପକ୍ଷରେ ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ଭବିଷ୍ୟତରେ ଏଭଳି ଘଟଣା ଯେପରି ନଘଟେ, ସେଥିପାଇଁ ସରକାରଙ୍କୁ କଡା଼ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ଏହି ବନ୍ଦର ପ୍ରଭାବ ସୋର ଜିଲ୍ଲାରେ ମଧ୍ୟ ଦେଖାଦେଇଛି। ସୋର ବିଜେଡି ବିଧାୟକ ମାଧବ ଧଡାଙ୍କ ନେତୃତ୍ୱରେ ୧୬ ନଂ ଜାତୀୟ ରାଜପଥ ଉତ୍ତରେଶ୍ୱରଠାରେ ଅବରୋଧ କରାଯାଇ ଟାୟାର ଜାଳି ପ୍ରତିବାଦ କରାଯାଇଛି। ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାନବାହନ ଅଟକି ରହିଥିବାରୁ ଶହ ଶହ ଟ୍ରକ୍ ଓ ଗାଡି ରାସ୍ତାରେ ଛିଡା ହୋଇ ରାସ୍ତା ଜାମ ସୃଷ୍ଟି କରିଛି।

ବନ୍ଦ ଯୋଗୁଁ ବାଲେଶ୍ୱର ଷ୍ଟେସନରେ ରେଳ ସେବା ମଧ୍ୟ ବ୍ୟାହତ ହୋଇଛି। ପ୍ରଥମ ଯାତ୍ରୀ ଟ୍ରେନ୍ ସହିତ ଅନ୍ୟାନ୍ୟ ଟ୍ରେନ୍ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି। ବିଜେଡି କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଇସ୍ତଫା ଦାବି କରିଛନ୍ତି। ସୌମ୍ୟାଶ୍ରୀଙ୍କ ମୃତ୍ୟୁରେ ଜଡିତ ସମସ୍ତଙ୍କ ବିରୁଦ୍ଧରେ କଡା଼ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଛି।