ଅହମଦାବାଦ ବିମାନ ଦୁର୍ଘଟଣା : ଇଞ୍ଜିନର ଫ୍ୟୁଏଲ ସପ୍ଲାଏ ବନ୍ଦ କରିଥିଲେ ନିଜେ ପାଇଲଟ୍
ନୂଆଦିଲ୍ଲୀ (ସଂକେତ ଟିଭି): ଗୁଜରାଟର ଅହମଦାବାଦରେ ଗତ ମାସରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କକ୍ସପିଟ୍ ଭଏସ୍ ରେକର୍ଡର୍ (CVR) ବିଶ୍ଳେଷଣରେ ଚମକାଉଥିବା ତଥ୍ୟ ମିଳିଛି। ଆମେରିକାର ପ୍ରତିଷ୍ଠିତ ସମ୍ବାଦପତ୍ର ୱାଲ୍ ସ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ବିମାନ ଟେକ୍ ଅଫ୍ କରିବାର ମାତ୍ର କିଛି ସେକେଣ୍ଡ୍ ପରେ କ୍ୟାପ୍ଟେନ୍ ସୁମୀତ ସଭରୱାଲ୍ ଇଞ୍ଜିନର ଫୁୟେଲ୍ ସପ୍ଲାଇ ବନ୍ଦ କରିଦେଇଥିଲେ। ଏହି ସମୟରେ ଫର୍ଷ୍ଟ ଅଫିସର୍ କ୍ଲାଇଭ୍ କୁଣ୍ଡର୍ ଆତଙ୍କିତ ହୋଇ କାରଣ ପଚାରିଥିବା ବେଳେ କ୍ୟାପ୍ଟେନ୍ ଶାନ୍ତ ରହିଥିବା ରେକର୍ଡିଂରେ ଧରାପଡିଛି।
ଏହି ଭୟଙ୍କର ଦୁର୍ଘଟଣାରେ ବୋଇଂ ୭୮୭ ଡ୍ରିମଲାଇନର୍ ବିମାନଟି ଟେକ୍ ଅଫ୍ କରିବାର ମାତ୍ର ୩୨ ସେକେଣ୍ଡ୍ ପରେ ଭୂମିରେ ଆଘାତ ହୋଇଥିଲା। ବିମାନରେ ଥିବା ୨୪୧ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସହିତ ଜମିରେ ଥିବା ୧୯ ଜଣ ମୃତ୍ୟୁବରଣ କରିଥିଲେ। କେବଳ ଜଣେ ଯାତ୍ରୀ ଅଦୃଷ୍ଟବଳରେ ବଞ୍ଚିଯାଇଥିଲେ। ଉଭୟ ପାଇଲଟଙ୍କ ମୋଟ ୧୯,୦୪୧ ଘଣ୍ଟାର (କ୍ୟାପ୍ଟେନ୍ ୧୫,୬୩୮ ଘଣ୍ଟା ଓ ଫର୍ଷ୍ଟ ଅଫିସର୍ ୩,୪୦୩ ଘଣ୍ଟା) ଅନୁଭବ ଥିଲା।
ଏୟାରକ୍ରାଫ୍ଟ୍ ଆକ୍ସିଡେଣ୍ଟ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ (AIIB) ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଟେକ୍ ଅଫ୍ ପରେ ଖୁବ୍ କମ୍ ଉଚ୍ଚତାରେ ଦୁଇଟି ଇଞ୍ଜିନ୍ର ଫୁୟେଲ୍ ସ୍ୱିଚ୍ ଗୋଟିଏ ପରେ ଗୋଟିଏ ୧ ସେକେଣ୍ଡ୍ ବ୍ୟବଧାନରେ “କଟ୍ ଅଫ୍” ପଜିସନ୍ରେ ଯାଇଥିଲା। ତଦନ୍ତ ସ୍ରୋତଗୁଡ଼ିକ କହୁଛନ୍ତି ଯେ ଏହା କ୍ୟାପ୍ଟେନ୍ଙ୍କ ଦ୍ୱାରା କରାଯାଇଥିବା ସ୍ପଷ୍ଟ, କିନ୍ତୁ ଏହା ଇଚ୍ଛାକୃତ ନା ଅପ୍ରମାଦିକ ତାହା ନିର୍ଣ୍ଣୟ କରିବା ପାଇଁ ଅଧିକ ତଦନ୍ତ ଆବଶ୍ୟକ।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମ ମୋହନ ନାଇଡୁ ମିଡିଆକୁ ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଆଧାରରେ କୌଣସି ଚୂଡାନ୍ତ ସିଦ୍ଧାନ୍ତରେ ପହଞ୍ଚିବା ଠିକ୍ ନୁହେଁ। “ଆମେ ବିଶ୍ୱର ସର୍ବୋତ୍ତମ ପାଇଲଟ୍ ଓ କ୍ରୁ ସଦସ୍ୟଙ୍କୁ ପାଇଛେ, ସେମାନଙ୍କ ପ୍ରତି ସନ୍ଦେହ କରିବା ଉଚିତ୍ ନୁହେଁ। ଅନ୍ତିମ ରିପୋର୍ଟ ପ୍ରକାଶ ପର୍ଯ୍ୟନ୍ତ ଧର୍ଯ୍ୟ ଧରିବା ଜରୁରୀ,” ମନ୍ତ୍ରୀ କହିଛନ୍ତି।
ଏୟାର ଇଣ୍ଡିଆ କମ୍ପାନୀ ଘଟଣା ପରେ ନିଜ ସମସ୍ତ ବୋଇଂ ୭୮୭-୮ ବିମାନର ଫୁୟେଲ୍ କଣ୍ଟ୍ରୋଲ୍ ସ୍ୱିଚ୍ (FCS) ଲକିଂଗ୍ ମେକାନିଜିମ୍ ପରୀକ୍ଷା କରିଛି। ଡି.ଜି.ସି.ଏ. ନିର୍ଦ୍ଦେଶରେ କରାଯାଇଥିବା ଏହି ପରୀକ୍ଷାରେ କୌଣସି ତ୍ରୁଟି ମିଳିନାହିଁ ବୋଲି କମ୍ପାନୀ ଜଣାଇଛି। ସେହିପରି ବୋଇଂ କମ୍ପାନୀର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM) ମଧ୍ୟ ବଦଳାଯାଇସାରିଛି।
