FeaturedHealthLatestNews

ଟଲି ରିକ୍ସାରେ ଶବ ବୋହି ଡାକ୍ତରଖାନାକୁ ନେଲେ ଗରିବ ବାପା

ବାଲିଆପାଳ (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲାର ଦେଉଳା ପଞ୍ଚାୟତ ଅନ୍ତର୍ଗତ ବିନ୍ଧାଣୀ ସାହି ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏକ କିଶୋରୀ ଝିଅର ଶବକୁ ଟଲି ରିକ୍ସାରେ ବୋହି ଡାକ୍ତରଖାନାକୁ ନେବାକୁ ବାଧ୍ୟ ହୋଇଛନ୍ତି ଗରିବ ବାପା। ପୁଲିସ ଏବଂ ପ୍ରଶାସନିକ ବ୍ୟବସ୍ଥାର ଉପେକ୍ଷାକୁ ନେଇ ସ୍ଥାନୀୟ ସ୍ତରରେ ତୀବ୍ର ଆକ୍ରୋଷ ଉଠିଛି।

ମିଳିଥିବା ସୂଚନା ଅନୁଯାୟୀ, ବିନ୍ଧାଣୀ ସାହି ଗ୍ରାମର ମଧୁବିନ୍ଧାଣୀଙ୍କ ଝିଅ ନନ୍ଦିନୀ ଘରୁ ରାଗିଯାଇ ନିକଟସ୍ଥ ଗ୍ରାମରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ପରେ ପୁଲିସ ଶବକୁ ଜବତ କରିଥିଲେ ମଧ୍ୟ, ବ୍ୟବଚ୍ଛେଦ ପାଇଁ କୌଣସି ବ୍ୟବସ୍ଥା ନକରି ପରିବାରକୁ ଦାୟିତ୍ୱ ଦେଇ ଚାଲିଯାଇଥିଲେ। ଅସହାୟ ବାପା ମଧୁ ଏକ ଦିନମଜୁରିଆ ହୋଇଥିବାରୁ ଆମ୍ବୁଲାନ୍ସ ଖର୍ଚ୍ଚ (୧୨୦୦ ଟଙ୍କା) ବହନ କରିପାରିନଥିଲେ। ଫଳସ୍ୱରୂପ, ସେ ଗାଁର ଜଣେ ବ୍ୟକ୍ତିଙ୍କଠାରୁ ଟଲି ରିକ୍ସା ମାଗି ୬ କିଲୋମିଟର ଦୂର ବାଲିଆପାଳ ଡାକ୍ତରଖାନାକୁ ଝିଅର ଶବ ନେଇଥିଲେ।

ଟଲି ରିକ୍ସାରେ ଶବ ବୋହାଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ପରେ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଗରିବ ଆଦିବାସୀ ପରିବାରଙ୍କ ପ୍ରତି ପୁଲିସ ଏବଂ ପ୍ରଶାସନର ମାନବିକତା ଅଭାବକୁ ନେଇ ଲୋକେ କଠୋର ସମାଲୋଚନା କରୁଛନ୍ତି।

ଘଟଣା ପ୍ରତିକ୍ରିୟାରେ ବାଲେଶ୍ବର ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ତହସିଲଦାର, ବିଡିଓ, ସରପଞ୍ଚ ଏବଂ ପିଇଓଙ୍କ ସହ ଯୋଗାଯୋଗ କରି ଶବ ପରିବହନ ପାଇଁ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏଥିସହ ହରିଶ୍ଚନ୍ଦ୍ର ଯୋଜନା ଅନୁଯାୟୀ ରେଡ୍ କ୍ରସ୍ ସଂସ୍ଥା ପକ୍ଷରୁ ପରିବାରକୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପଗୁଡ଼ିକୁ ଟ୍ଵିଟର ମାଧ୍ୟମରେ ସାର୍ବଜନୀନ କରିଛି।