ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବିରେ ସମସ୍ତ ଆରଡିସି ଘେରାଉ କରିବ ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ତାଙ୍କ ମୃତ୍ୟୁ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ବିଜୁ ଜନତା ଦଳ (ବିଜେଡି) ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛି। ଆସନ୍ତା ୨୧ ଜୁଲାଇରେ ରାଜ୍ୟର ସମସ୍ତ ଆରଡିସି ଅଫିସ୍ ଘେରାଉ କରିବେ ବୋଲି ଦଳ ତରଫରୁ ଆଜି ଘୋଷଣା କରାଯାଇଛି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏହି ଆନ୍ଦୋଳନ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ଆଗକୁ ବଢ଼ୁଛୁ।”
୧୪ ଜୁଲାଇ ରାତିରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା। ପରଦିନ (୧୫ ଜୁଲାଇ)ରୁ ବିଜୁ ଛାତ୍ର ଓ ଯୁବ ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲେ। ୧୬ ଜୁଲାଇରେ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।
ବିଜେଡି ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନଶୀଳତାର ଅଭାବକୁ ଦାୟୀ କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଉଚ୍ଚ ନ୍ୟାୟାଳୟର ଏକ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଛି। ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ନ୍ୟାୟ ନ ମିଳିବା ଯାଏଁ ଆମ ଆନ୍ଦୋଳନ ଜାରି ରହିବ।”
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ।
