EducationFeaturedLatestNews

କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା ଜାରି, ପହଞ୍ଚିଲେ UGC ଓ କ୍ରାଇମବ୍ରାଞ୍ଚ ଟିମ୍

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲାର ଫକୀରମୋହନ କଲେଜରେ ଏକ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଜାରି ରହିଛି। ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ତଦନ୍ତ ଟିମ୍ କଲେଜରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏହି ଟିମ୍ କଲେଜର ଆଇସିସି (ICC) ସଦସ୍ୟମାନଙ୍କୁ ପଚରାଉଚରା କରିବା ସହ ଘଟଣାର ବିବରଣୀ ତଥ୍ୟ ଆହରଣ କରୁଛନ୍ତି।

ଏଥିସହିତ, ଦିଲ୍ଲୀରୁ ଏକ ୪ ଜଣିଆ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମଧ୍ୟ ବାଲେଶ୍ବର ପହଞ୍ଚିଛି। ପ୍ରଫେସର ରାଜ୍ କୁମାର ମିତ୍ତଲଙ୍କ ନେତୃତ୍ୱରେ ଏହି ଟିମ୍ ଦୁଇ ଦିନ ଧରି କଲେଜ ପରିସରରେ ତଦନ୍ତ କରିବେ। ଟିମ୍ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପ୍ରଫେସର ସୁଷମା ଯାଦବ, ଡକ୍ଟର ନିରଜା ଗୁପ୍ତା ଏବଂ UGCର ଯୁଗ୍ମ ସଚିବ ଡକ୍ଟର ଅସୀମା ମଙ୍ଗଲା ଅଛନ୍ତି। ସେମାନେ ଛାତ୍ରୀ ନିର୍ଯାତନା ସମ୍ପର୍କିତ ଆଭ୍ୟନ୍ତରୀଣ ତଥ୍ୟ ଯାଞ୍ଚ କରିବେ।

ଅନ୍ୟ ପଟେ, କ୍ରାଇମବ୍ରାଞ୍ଚ ଟିମ୍ ମଧ୍ୟ ଘଟଣାସ୍ଥଳୀ ଏବଂ ମୃତ ଛାତ୍ରୀଙ୍କ ଗୃହଗାଁ ଭୋଗରାଇ ବ୍ଲକର ପଳାସିଆରେ ତଦନ୍ତ କରିଛି। ପରିବାର ସଦସ୍ୟଙ୍କ ସହିତ ପଚରାଉଚରା କରି ଘଟଣାର କାରଣ ଅନୁଧ୍ୟାନ କରାଯାଉଛି। କଲେଜ ଅଧ୍ୟକ୍ଷ ଫିରୋଜ ପାଢ଼ୀ, ICC ସଦସ୍ୟମାନେ ଏବଂ କେତେକ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରେ ICC ସଦସ୍ୟମାନଙ୍କୁ ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାର ସତ୍ୟତା ଉଦ୍ଘାଟନ ପାଇଁ ବିଭିନ୍ନ ସ୍ତରରେ ତନାଘନା ଚାଲିଛି।