FeaturedLatestNews

ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ 

ଭୁବନେଶ୍ବର (ସଂକେତ ଟିଭି): ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତାଙ୍କୁ ଆଜି ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି। ଏହି ସମ୍ବନ୍ଧରେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ସୂଚନା ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ଭୁବନେଶ୍ଵର ବିମାନବନ୍ଦର ଅଭିମୁଖେ ନିଆଯାଉଛି। ଏଥିପାଇଁ ଗ୍ରିନ୍ କରିଡର୍ ବ୍ୟବସ୍ଥା କରାଯାଇଛି।

ଏମ୍ସ ଭୁବନେଶ୍ଵର ନିର୍ଦ୍ଦେଶକ ଶ୍ରୀ ବିଶ୍ଵାସ କହିଛନ୍ତି, ନାବାଳିକା ଜଣକ ୪୮ ଘଣ୍ଟା ଅବଜର୍ଭେସନ୍ରେ ରହିଥିଲେ। ସେ ଆଇସିଯୁରେ ଅକ୍ସିଜେନ୍ ସପୋର୍ଟରେ ଥିଲେ। ୨୦ରୁ ୨୫% ବ୍ୟତୀତ ଶରୀରର ଅନ୍ୟ ସ୍ଥାନ ପୋଡ଼ିଯାଇଛି, ଯାହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ। ତଥାପି, ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି।

ନାବାଳିକାଙ୍କ ଚିକିତ୍ସାରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୭୦% ପୋଡ଼ିଯାଇଥିବାରୁ ସ୍ବତନ୍ତ୍ର ଚିକିତ୍ସା ଦିଆଯାଉଛି। ବିଶେଷଜ୍ଞ ଡାକ୍ତର ସଂଜୟ ଗିରିଙ୍କ ନେତୃତ୍ବରେ ଚିକିତ୍ସା ଜାରି ରହିଛି।

ଏହି ଟିମ୍ରେ ପ୍ରଫେସର ଅନୁପମ ଦେ, ପ୍ରଫେସର ମନୋଜ ପାଣିଗ୍ରାହୀ, ଡ. ଦେବାଶିଷ ଆଚାର୍ଯ୍ୟ, ଡ. ଆଲୋକ ସାହୁ, ଡ. ରିତେଶ ପଣ୍ଡା, ଡ. ସିନ୍ଧୁ ସୁଧା ସାହୁ, ଡ. ସୁବର୍ଣ୍ଣ ମିତ୍ର, ଡ. ପ୍ରୀତି ମୀନା, ଡ. ତରୁଣ କୁମାର ପାତ୍ର, ଡ. ଶ୍ୟାମସୁନ୍ଦର ବେହେରା, ଡ. ଦେବଶ୍ରୀ ଦାସ, ଡ. ମହାଲିଙ୍ଗମ୍ ଓ ପ୍ରିୟଦର୍ଶିନୀ ସାହୁ ଅନ୍ତର୍ଭୁକ୍ତ ଥିଲେ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପଦକ୍ଷେପକୁ ସ୍ୱାଗତ ଜଣାଇ କହିଛନ୍ତି, “ସର୍ବୋତ୍ତମ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଦିଲ୍ଲୀ ପଠାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତ୍ୱରିତ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ। ପୀଡ଼ିତା ଶୀଘ୍ର ସୁସ୍ଥ ହେଉଛନ୍ତୁ, ଏହି ପ୍ରାର୍ଥନା ମହାପ୍ରଭୁଙ୍କ ନିକଟରେ କରୁଛି।”