FeaturedLatestNews

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଓଡିଶାରେ ପ୍ରବଳ ବର୍ଷା ଚେତାବନୀ

ଭୁବନେଶ୍ବର (ସଂକେତ ଟିଭି): ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି ।

ଆଜି ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ମାନ୍ଦ୍ରିଜ ବିଭାଗ (IMD) ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି । କେତେକ ସ୍ଥାନରେ ରେଡ୍ ଆଲର୍ଟ ମଧ୍ୟ ଘୋଷଣା କରାଯାଇଛି । ବର୍ଷା ସହିତ ବିଜୁଳି ଘଡଘଡି ଓ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି ।

ଲଘୁଚାପର ପ୍ରଭାବରେ ଆଜିଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକରେ ୭ରୁ ୨୦ ସେ.ମି. ବର୍ଷା ହୋଇପାରେ ଏବଂ ୩୦ରୁ ୪୦ କି.ମି. ବେଗରେ ପବନ ବହିବ ।

ସୁନ୍ଦରଗଡ, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ ଗଜପତି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡଘଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଶୁକ୍ରବାର ଦିନ ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି । ଆସନ୍ତାକାଲି ଏହି ଦୁଇ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।