FeaturedLatestNews

ପାଣି ଯୋଗାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ – ମନ୍ତ୍ରୀ ରବି ନାୟକ

ଭୁବନେଶ୍ବର (ସଂକେତ ଟିଭି): ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇ କହିଛନ୍ତି ଯେ, ଯୋଗାଣରେ ବିଳମ୍ବ ହେଲେ ସମ୍ବନ୍ଧିତ ଅଧିକାରୀଙ୍କ ଦରମା ବନ୍ଦ କରାଯିବ। ଏଥିପାଇଁ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି ଏବଂ ପ୍ରତି ୭ ଦିନରେ ଦୁଇଥର ମନିଟରିଂ କରାଯିବ।

ମନ୍ତ୍ରୀ କହିଛନ୍ତି, ପାନୀୟ ଜଳ ବ୍ୟବସ୍ଥା ଆଜି ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ୨୦୭ଟି ମେଗା ପ୍ରକଳ୍ପ ମାଧ୍ୟମରେ ପାଣି ଯୋଗାଣ କରାଯିବା ନିଷ୍ପତ୍ତି ହୋଇଛି। ଏଥିମଧ୍ୟରୁ ୧୮ଟି ପ୍ରକଳ୍ପରେ “ହର ଘର ଜଳ” ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇସାରିଛି। ଅଗଷ୍ଟ ମାସ ସୁଦ୍ଧା ୨୧ଟି, ସେପ୍ଟେମ୍ବର ସୁଦ୍ଧା ୧୧ଟି ଏବଂ ଡିସେମ୍ବର ସୁଦ୍ଧା ୨୨ଟି ପ୍ରକଳ୍ପ ଶେଷ ହେବ। ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୫ରେ ସମାପ୍ତ ହେବାକୁ ଯାଉଛି।

ଏବର୍ଷ ୨୯,୫୧୨ଟି ନଳକୂପ ଯୋଗାଣ କରାଯାଇଥିବା ମଧ୍ୟରୁ ୨୦,୮୯୧ଟି ଖନନ ହୋଇ ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲା ଓ ବ୍ଲକ୍ରେ ୫,୨୭,୫୭୦ଟି ନଳକୂପ ଖନନ କରାଯାଇଛି। ଯୋଜନା ବିଳମ୍ବ ହେଲେ ଏଜେନ୍ସିଗୁଡ଼ିକୁ ପ୍ରତିଦିନ ଜରିମାନା ଦେବାକୁ ପଡ଼ୁଛି। ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ୨୦୩୬ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଜୋର ଦେଇ କହିଛନ୍ତି, “କାମରେ ଅତିରିକ୍ତ ବିଳମ୍ବକୁ ସହନ କରାଯିବ ନାହିଁ। ନୂତନ ନିୟମ ଅନୁଯାୟୀ, ଦାୟିତ୍ୱବାନ ଅଧିକାରୀଙ୍କୁ ନୋଟିସ୍ ଦିଆଯିବ ଏବଂ ଆବଶ୍ୟକ କ୍ଷେତ୍ରରେ ବେତନ ବନ୍ଦ କରାଯିବ।”