ଓଡ଼ିଶାର ମହିଳା ସୁରକ୍ଷା ନେଇ ଦିଲ୍ଲୀରେ ଜୋରଦାର ପ୍ରତିବାଦ କଲେ ବିଜେଡି ସାଂସଦ
ନୂଆଦିଲ୍ଲୀ (ସଂକେତ ଟିଭି): ଦିଲ୍ଲୀରେ ଓଡ଼ିଶାର ମହିଳା ଏବଂ ଶିଶୁ ସୁରକ୍ଷା ପ୍ରସଙ୍ଗକୁ ନେଇ ବିଜେଡି ସାଂସଦମାନେ ଜୋରଦାର ପ୍ରତିବାଦ କରିଛନ୍ତି । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଥିବା ଏବଂ ସରକାରୀ ନିଷ୍କ୍ରିୟତା ପ୍ରତିବାଦରେ ସେମାନେ ସଂସଦ ବାହାରେ ବର୍ଷାରେ ଭିଜି ଭିଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସହିତ ବଳଙ୍ଗା ଘଟଣାକୁ ଯୋଡ଼ି ବିଜେଡି ନେତୃତ୍ୱ ରାଜ୍ୟ ସରକାରଙ୍କୁ କଠୋର ଭାବେ ଆକ୍ଷେପ କରିଛି ।
ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, “ଓଡ଼ିଶାରେ ମହିଳା ଏବଂ ଶିଶୁମାନେ ସଂପୂର୍ଣ୍ଣ ଅସୁରକ୍ଷିତ । ଡବଲ ଇଞ୍ଜିନ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି, ଯେଉଁଥିପାଇଁ ମହିଳାଙ୍କୁ ନ୍ୟାୟ ମିଳୁନାହିଁ । ଏହି ଅବସ୍ଥା ବଦଳାଯାଉ ଏବଂ କେନ୍ଦ୍ର ସରକାର ହସ୍ତକ୍ଷେପ କରୁ ।”
ଅନ୍ୟ ଏକ ସାଂସଦ ସୁଲତା ଦେଓ ମହିଳା ସୁରକ୍ଷା ନେଇ ସୁପ୍ରିମ କୋର୍ଟ ଏବଂ ଆନ୍ତର୍ଜାତିକ ସମ୍ପ୍ରଦାୟର ମନ୍ତବ୍ୟକୁ ଉଦ୍ଧୃତ କରି କହିଛନ୍ତି, “ଆମେରିକା ଓଡ଼ିଶାକୁ ଅସୁରକ୍ଷିତ ବୋଲି ଚିହ୍ନିତ କରିଛି, ଆଉ ବଳଙ୍ଗା ମାମଲାରେ ସୁପ୍ରିମ କୋର୍ଟ ଲଜ୍ଜାଜନକ ବୋଲି କହିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ଲଜ୍ଜାର ଦିଗକୁ ଠେଲି ଦେଉଛି । ଏହାର ବିରୋଧରେ ଆମେ ପଲ୍ଲୀରୁ ପାର୍ଲିଆମେଣ୍ଟ ଯାଏଁ ଲଢିବୁ ।”
