ପୁରୀର ବାଳିକା ମୃତ୍ୟୁ ଘଟଣା: ୭ ଅଗଷ୍ଟରେ ବିଜେଡିର ହରତାଳ
ପୁରୀ(ସଂକେତ ଟିଭି): ପୁରୀରେ ଏକ ବାଳିକାର ମୃତ୍ୟୁ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ଆଗାମୀ ୭ ଅଗଷ୍ଟରେ ହରତାଳ ଡାକିଛି। ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ହରତାଳ ସକାଳ ୬ଟାରୁ ଦିପହର ୧୨ଟା ଯାଏଁ ଜାରି ରହିବ।
ବିଜେଡି ନେତାମାନେ ପ୍ରେସ୍ ସମ୍ମିଳନୀରେ କହିଛନ୍ତି ଯେ, ପୀଡ଼ିତା ବାଳିକାଙ୍କୁ ନ୍ୟାୟ ଦେବା ପାଇଁ ଏହି ହରତାଳ ଆୟୋଜନ କରାଯାଇଛି। ଦିଲ୍ଲୀର ଏମ୍ସରେ ଚିକିତ୍ସା ଚାଲିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି, ଯାହା ଏବେ ରହସ୍ୟଘେରା। ବିଜେଡି ପୋଲିସ୍ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଏବଂ ସରକାରଙ୍କୁ ଘଟଣାର ସତ୍ୟ ଉନ୍ମୋଚନ କରିବାକୁ ଦାବି କରିଛି।
ସଭାରେ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି ଦୋଷୀଙ୍କୁ ଚିହ୍ନଟ କରୁନାହାନ୍ତି। ପୀଡ଼ିତା ପରିବାର ଉପରେ ଚାପ ପଡିଥିବାରୁ ତାଙ୍କ ପିତା ନିଜ ମତ ପରିବର୍ତ୍ତନ କରିଥିବା କୁହାଯାଉଛି। ବିଜେଡି ସ୍ପଷ୍ଟ କରିଛି ଯେ, ଯଦି ଏହାର ସତ୍ୟତା ଶୀଘ୍ର ପ୍ରକାଶ ପାଏନାହିଁ, ତେବେ ଦଳ ଆନ୍ଦୋଳନ ଜାରି ରଖିବ।
