୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମାଝୀ ଓ ବିଜେପି ସଭାପତି ସାମଲ
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାତିରେ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ତାଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀ ଯାଉଥିବା କୁହାଯାଉଛି। ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କୁ ମଧ୍ୟ ଦିଲ୍ଲୀ ଯିବାକୁ ଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ସେ ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଭାଗ ନେବେ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବେ। ଏହି ସମୟରେ ରାଜ୍ୟ କମିଟି ଗଠନ, ବୋର୍ଡ ଓ ନିଗମ ନିଯୁକ୍ତି ଆଦି ବିଷୟରେ କେନ୍ଦ୍ର ନେତାମାନଙ୍କ ସହିତ ଆଲୋଚନା ହୋଇପାରେ। ଏଥିସହ ସରକାରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଚର୍ଚ୍ଚା ହେବା ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ଓ ବିଜେପି ସଭାପତି ଏକାସାଙ୍ଗରେ ଦିଲ୍ଲୀ ଯାଉଥିବାରୁ, ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ବିଭିନ୍ନ ନିଗମ ଓ ବୋର୍ଡର ଅଧ୍ୟକ୍ଷ ପଦବୀ ପୂରଣ କରାଯିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଏହି ଗସ୍ତ ରାଜ୍ୟ ରାଜନୀତି ଏବଂ ପ୍ରଶାସନିକ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି।
