BusinessFeaturedGeneralLatest

ଭାରତ ଉପରେ ୫୦% ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇଛନ୍ତି, ଯାହା ଫଳରେ ଭାରତୀୟ ପଣ୍ୟଦ୍ରବ୍ୟ ଉପରେ ମୋଟ ଆମେରିକୀୟ ଶୁଳ୍କ ୫୦% ହୋଇଯାଇଛି। ଏହା ଚୀନ ଉପରେ ଲାଗୁ ହେଉଥିବା ୩୦% ଶୁଳ୍କଠାରୁ ମଧ୍ୟ ଅଧିକ। ଋଷ ଠାରୁ ତେଲ ଆମଦାନୀ କରୁଥିବା ଦେଶମାନଙ୍କ ବିରୁଦ୍ଧରେ ଆମେରିକାର ଏହି କଠୋର ପଦକ୍ଷେପ।

ଟ୍ରମ୍ପ ଦାବି କରିଛନ୍ତି ଯେ, ଭାରତ ଋଷିଆ ଠାରୁ ତେଲ କିଣୁଥିବାରୁ ଏହି ଶୁଳ୍କ ଲଗାଯାଇଛି। ଆମେରିକାର ବିଦେଶ ନୀତି ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଏବଂ ଋଷିଆର ଆକ୍ରମଣକୁ ସମର୍ଥନ କରୁଥିବା ଦେଶମାନଙ୍କ ବିରୁଦ୍ଧରେ ଏପରି ଜବରଦସ୍ତ ପଦକ୍ଷେପ ନିଆଯାଇଛି। ଟ୍ରମ୍ପଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି, “ଭାରତ ଋଷିଆ ଠାରୁ ତେଲ ଆମଦାନୀ କରୁଥିବାରୁ, ଏହା ଆମେରିକାର ଜାତୀୟ ସୁରକ୍ଷା ପାଇଁ ବାଧା ସୃଷ୍ଟି କରୁଛି।”

ଏହି ଅତିରିକ୍ତ ଶୁଳ୍କ ଅଗଷ୍ଟ ୨୭ ତାରିଖରୁ ଲାଗୁ ହେବ। ତେବେ, ଏହି ନିୟମ ଆଗରୁ ବାହାରି ସାରିଥିବା ପଣ୍ୟଦ୍ରବ୍ୟ ଉପରେ ପ୍ରଯୁଜ୍ୟ ହେବ ନାହିଁ। ଟ୍ରମ୍ପ ଆହୁରି ମଧ୍ୟ ଧମକ ଦେଇଛନ୍ତି ଯେ, ଯଦି ଅନ୍ୟ ଦେଶମାନେ ଋଷିଆ ଠାରୁ ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରାଯିବ।

ଏହି ଶୁଳ୍କ ବୃଦ୍ଧି ଭାରତୀୟ ରପ୍ତାନୀକାରୀଙ୍କ ପାଇଁ ଏକ ବଡ଼ ଆଘାତ ହୋଇପାରେ। ବିଶେଷକରି ପେଟ୍ରୋଲିୟମ ଉତ୍ପାଦ, ରସାୟନିକ ଦ୍ରବ୍ୟ ଏବଂ କଳକାରଖାନାର ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ମହଙ୍ଗା ପଡ଼ିବ। ଟ୍ରମ୍ପ ଏବଂ ମୋଦୀ ମଧ୍ୟରେ ଥିବା କଥିତ ବନ୍ଧୁତ୍ୱ ସତ୍ତ୍ୱେ, ଆମେରିକା ନିଜ ବାଣିଜ୍ୟ ନୀତିରେ କୌଣସି ରିଆୟତ ଦେଉନାହିଁ।