ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା : ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପୋଲିସକୁ ନିର୍ଦ୍ଦେଶ
ବାଲେଶ୍ୱର (ସଂକେତ ଟିଭି): ମାନବ ଅଧିକାର ଆୟୋଗ (HRC) ନୀଳଗିରିରେ ଏକ ସାମ୍ବାଦିକଙ୍କ ପ୍ରତି ପୋଲିସଙ୍କ ଅମାନବିକ ଆଚରଣ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ, ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଭାବରେ ଦେବାକୁ ହେବ ଏବଂ ଏହି ଅର୍ଥ ଦୋଷୀ ପୋଲିସ କର୍ମଚାରୀଙ୍କ ଠାରୁ ରାଜକୋଷ ଭରଣ କରାଯିବ।
୨୦୨୨ ମସିହାରେ, ବାଲେଶ୍ୱର ଜିଲ୍ଲାର ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇ ଏକ ଖବର ସଂଗ୍ରହ କରିବା ସମୟରେ ଗୃହରକ୍ଷୀ ନିରଞ୍ଜନ ରଣାଙ୍କ ସହିତ ବିବାଦ ହୋଇଥିଲା। ପରବର୍ତ୍ତୀ ସମୟରେ, ଗୃହରକ୍ଷୀ ଏକ ମିଥ୍ୟା ଅଭିଯୋଗ କରି ପୋଲିସଙ୍କୁ ସୂଚନା ଦେଇଥିଲେ। ଏହାକୁ ଆଧାର କରି ନୀଳଗିରି ଥାନାର ତତ୍କାଳୀନ ଆଇଆଇସି ଦୌପଦୀ ଦାସ ଲୋକନାଥଙ୍କୁ ଗିରଫ କରିଥିଲେ।
ଲୋକନାଥ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବାରୁ ତାଙ୍କୁ ପ୍ରଥମେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେତୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଚାଲିଥିବା ଅବସ୍ଥାରେ, ପୋଲିସ ତାଙ୍କ ଗୋଡ଼ରେ ବେଡି ଲଗାଇ ବେହେଳା ଭାବରେ ରଖିଥିଲେ, ଯାହା ଜନାଦୋଳନ ସୃଷ୍ଟି କରିଥିଲା।
ଏହି ଘଟଣା ପ୍ରକାଶ ପାଇବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଉତ୍କଳ ସାମ୍ବାଦିକ ସଂଘ ଆଦି ବିଭିନ୍ନ ସଂଗଠନ ଏବଂ ରାଜନୈତିକ ନେତାମାନେ ପୋଲିସଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ନ୍ୟାୟ ଦାବି କରିଥିଲେ। ଏହି ବିରୋଧରେ ନୀଳଗିରି ବନ୍ଦ ହୋଇଥିଲା।
ମାନବ ଅଧିକାର ଆୟୋଗ (HRC) ଏହି ମାମଲାରେ ଗଭୀର ତଦନ୍ତ କରି ହାବିଲଦାର ଚିତ୍ତରଞ୍ଜନ ସିଂହ ଏବଂ ତତ୍କାଳୀନ ଆଇଓ ସୁବର୍ଣ୍ଣା ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆୟୋଗ ୩୦ ଜୁନ ୨୦୨୫ରେ ଦିଆଯାଇଥିବା ରାୟରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ୧୮ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଲୋକନାଥଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହେବ। ଏହି ଅର୍ଥ ପୋଲିସ କର୍ମଚାରୀଙ୍କ ଠାରୁ ରାଜକୋଷକୁ ଫେରସ୍ତ କରାଯିବ।
ଲୋକନାଥ ଦଳେଇ ଏହି ରାୟକୁ “ସତ୍ୟର ବିଜୟ” ବୋଲି କହିଛନ୍ତି। ସେ ସମସ୍ତ ସାମ୍ବାଦିକ, ସାମାଜିକ ସଂଗଠନ ଏବଂ ଜନସାଧାରଣଙ୍କୁ ତାଙ୍କ ପକ୍ଷରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।