FeaturedLatestNews

ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କଲେ ୧୩ ବର୍ଷୀୟା ନାବାଳିକା

ବରଗଡ଼ (ସଂକେତ ଟିଭି): ବରଗଡ଼ ଜିଲ୍ଲାର ଗାଇସିଲଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲରେ ଆଜି ସକାଳେ ଜଣେ ୧୩ ବର୍ଷୀୟା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖାଯାଇଛି। ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ପରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ୍ (ବୁର୍ଲା ହସ୍ପିଟାଲ)ରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଘଟିଛି।

ପୀଡ଼ିତା ନାବାଳିକା ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିବା ଜଣାଯାଇଛି। ତାଙ୍କ ବାପା ଦାଦନ ଖଟିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଘଟଣା ସମୟରେ ନାବାଳିକାଙ୍କ ଶରୀରର ୭୦% ପୋଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ବରଗଡ଼ ଜିଲ୍ଲା ଦାୟିତ୍ୱରେ ଥିବା ବଲାଙ୍ଗୀର ଏସପି ଅଭିଳାଷ ଜି ଘଟଣା ସ୍ଥଳୀ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ୩ଟି ଟିମ ଗଠନ କରି ଘଟଣାର କାରଣ ଅନୁସନ୍ଧାନ କରୁଛି। ନାବାଳିକାଙ୍କ ପରିବାର ସଦସ୍ୟମାନେ କହିଛନ୍ତି ଯେ ଝିଅଟି ଗତ କିଛି ଦିନ ଧରି ମାନସିକ ଅସ୍ଥିରତାରେ ଥିଲା।

ସ୍ଥାନୀୟ ବାସିନ୍ଦା ଏବଂ ପ୍ରତ୍ୟକ୍ଷଦର୍ଶୀ ସତ୍ୟନାରାୟଣ ପାଣ୍ଡେ କହିଛନ୍ତି, “ଝିଅଟି ଜଳିଯାଉଥିବା ଦେଖି ଆମେ ନିଆଁ ଲିଭାଇ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲୁ। ସେ କାହିଁକି ଏପରି କଲା, ତାହା ଅସ୍ପଷ୍ଟ।” ପୀଡ଼ିତାଙ୍କ ଅଜା କହିଛନ୍ତି ଯେ ନାତୁଣୀ ଗତ କିଛି ଦିନ ଧରି ମାନସିକ ଭାବେ ପ୍ରଭାବିତ ଥିଲା।

ଏହି ଘଟଣା ପୂର୍ବରୁ ବାଲେଶ୍ୱର, ପୁରୀ ବଳଙ୍ଗା ଏବଂ କେନ୍ଦ୍ରାପଡ଼ା ପଟାମୁଣ୍ଡାଇରେ ମଧ୍ୟ ନାବାଳିକା ଆତ୍ମହତ୍ୟା ଘଟଣା ଘଟିଥିଲା।