FeaturedLatestNews

ସରଳୀକୃତ ଏମ୍.ଏଲ୍.ଏ. ଲ୍ୟାଡ଼ ଗାଇଡ଼ଲାଇନ୍ ଏବଂ ୱେବ୍ ପୋର୍ଟାଲ୍ ଉନ୍ମୋଚିତ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସରଳୀକୃତ ‘ଏମ୍.ଏଲ୍.ଏ. ଲ୍ୟାଡ଼’ ଏବଂ ‘ସିଏମ୍-ଏସ୍.ଏ’ ଗାଇଡ଼ଲାଇନ୍ ଉନ୍ମୋଚନ କରିଛନ୍ତି। ସେହି ସହିତ ଏମ୍.ଏଲ୍.ଏ. ଲ୍ୟାଡ଼ ୱେବ୍ ପୋର୍ଟାଲ୍ (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରାଯାଇଛି। କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ସମ୍ପନ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀକୁ ସରଳୀକୃତ କରାଯାଇଛି। ଏହି ନୂତନ ଗାଇଡ଼ଲାଇନ୍ ପ୍ରଶାସନିକ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଏବଂ ସମୟୋପଯୋଗୀ କରିବା ସହିତ ଜନସାଧାରଣଙ୍କ ପାଇଁ ମୌଳିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରିବାରେ ସହାୟକ ହେବ। ଏଥିରେ ଅତ୍ୟାବଶ୍ୟକୀୟ ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ଅନାବଶ୍ୟକ ପ୍ରକଳ୍ପଗୁଡ଼ିକୁ ବାଦ୍ ଦିଆଯାଇଛି। ପ୍ରକଳ୍ପ ସୁପାରିଶରୁ କାର୍ଯ୍ୟାଦେଶ ପର୍ଯ୍ୟନ୍ତ ସମୟ ସୀମା ୩୦ ଦିନ ନିର୍ଦ୍ଧାରିତ ହୋଇଛି।

ନୂତନ ଏମ୍.ଏଲ୍.ଏ. ଲ୍ୟାଡ଼ ୱେବ୍ ପୋର୍ଟାଲ୍ ମାଧ୍ୟମରେ ବିଧାୟକମାନେ ପ୍ରକଳ୍ପ ସୁପାରିଶ, ଅନୁମୋଦନ, ତଦାରଖ, ନିରୀକ୍ଷଣ ଏବଂ ବ୍ୟୟ ସମ୍ପାଦନ କରିପାରିବେ। ଏହା ଜନସାଧାରଣଙ୍କୁ ମଧ୍ୟ ପ୍ରକଳ୍ପ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବ। ପୋର୍ଟାଲ୍ ମାଧ୍ୟମରେ ବିଧାୟକ ଏବଂ ନାଗରିକମାନେ ପ୍ରକଳ୍ପର ବାସ୍ତବ ସ୍ଥିତି ଜାଣିପାରିବେ।

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୧୯୯୭-୯୮ରେ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ବୃଦ୍ଧି ପାଇ ୨୦୨୫-୨୬ ଆର୍ଥିକ ବର୍ଷରେ ୫ କୋଟି ଟଙ୍କା ହୋଇଛି। ଏହି ନୂତନ ଗାଇଡ଼ଲାଇନ୍ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ହୋଇଛି। ବିଧାୟକ, କମିଟି ସଦସ୍ୟ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ନିର୍ଦ୍ଦେଶାବଳୀ ଅଧ୍ୟୟନ କରାଯାଇଛି।

ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।